ସୀମାନ୍ତ ମହାବିଦ୍ୟାଳୟରେ ୪୭ତମ ସ୍ଵନକ୍ଷତ୍ର ଦିବସ ପାଳନ

9

ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ସାରସକଣା ବ୍ଲକ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୭ ତମ ସ୍ଵନକ୍ଷତ୍ର ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ମାନ୍ୟବର ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ସୀମାନ୍ତ ସମିତିର ଦୁଇ ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଅର୍ଧେନ୍ଦୁ ପ୍ରହରାଜ ମୁଖ୍ୟ ବକ୍ତା ଭାବେ ଓ ଶ୍ରୀଯୁକ୍ତ ଘାସିରାମ କଲିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଉତ୍ସବର ସଂଯୋଜକ ଶ୍ରୀଯୁକ୍ତ ଅନିଲ କୁମାର ଝା ,ପ୍ରାଧ୍ୟାପକ ରଞ୍ଜନ କୁମାର ମହାନ୍ତି , ଲେଫ୍ଟନେଣ୍ଟ୍ ନିହାର ରଞ୍ଜନ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନେ ପ୍ରଥମେ ବିଘ୍ନ ବିନାଶକ ଶ୍ରୀ ଗଣେଶ ,ସୁଭାଷ ବୋଷ ଓ ପ୍ରବାଦ ପୁରୁଷ ପରେଶଚନ୍ଦ୍ର ବସାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦ୍ଵୀପ ପ୍ରଜ୍ଜ୍ୱଳନ ଓ ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ମାତରମ୍ ଗାନ ପରିବେଷଣ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ସ୍ଵପ୍ନେଶ୍ୱରୀ ମୁର୍ମୁ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଶ୍ରୀଯୁକ୍ତ ଅନିଲ କୁମାର ଝା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅଧ୍ୟକ୍ଷ ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତି ନିଜର ଅଭିଭାଷଣରେ ସୀମାନ୍ତ ମହାବିଦ୍ୟାଳୟର ବିଗତ ବର୍ଷର ସଫଳତାର ବିବରଣୀ ଓ ଅଭାବ ଅସୁବିଧା ସମ୍ପର୍କରେ ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ। ପ୍ରାଧ୍ୟାପକ ରଞ୍ଜନ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ।ସୀମାନ୍ତ ସମିତି ର ଦୁଇ ପ୍ରତିଷ୍ଠାତା ସଦସ୍ୟ ନିଜ ଅତୀତ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିବା ବେଳେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ସମସ୍ତ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସରକାରଙ୍କର କେଜି ରୁ ପିଜି ମୁକ୍ତ ଆର୍ଥିକ ଯୋଜନା ସହ ସୀମାନ୍ତ ମହାବିଦ୍ୟାଳୟର ଅତୀତ ଗୌରବକୁ ବଜାୟରଖି ସାଧନା କରିବାକୁ ପ୍ରେରଣା ଯୋଗାଇଥିଲେ। ଏଥିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଜାରି ରଖିବେ ବୋଲି ଶ୍ରୀ ହାଁସଦା ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ସ୍ୱର୍ଣ୍ଣସୀମାର ଉନ୍ମୋଚନ କରାଯାଇଥିଲା। ୨୦୨୫/୨୬ ଶିକ୍ଷା ବର୍ଷରେ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ ବିଜ୍ଞାନରେ ଶ୍ରୀମାନ୍ ଶିବଶଙ୍କର ମଣ୍ଡଳ, କଳାରେ ସୁଶ୍ରୀ ଦୁଲିମଣି ମାରାଣ୍ଡି,ବାଣିଜ୍ୟରେ ସୁଶ୍ରୀ ସ୍ନେହଲତା ନାଏକ ମହାବିଦ୍ୟାଳୟର ସର୍ବୋଚ୍ଚ ନମ୍ୱର୍ ରଖି ସମ୍ମାନିତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶ୍ରେଷ୍ଠ ସ୍ନାତକ ଭାବେ ଓଡ଼ିଆରେ ସୁଶ୍ରୀ ଶିବାନୀ ମହାନ୍ତ ଓ ନୃତତ୍ତ୍ୱ ରେ ସାଗରିକା ମୁର୍ମୁ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ସେହିପରି ଦତ୍ତ ମେମୋରିଆଲ ତର୍କ ପ୍ରତିଯୋଗିତାରେ ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ସମ୍ପାରାଣୀ ଦଳେଇ ଓ ଜଗବନ୍ଧୁ ମେମୋରିଆଲ ତରଫରୁ ଯୁକ୍ତ ଦୁଇ ବିଜ୍ଞାନରେ ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ର ଛାତ୍ରୀ, ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.