ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

30


ଓଡ଼ଗାଁ, ୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ‘ଭାରତ ମାତା କି ଜୟ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଓଡ଼ଗାଁ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲା ବିଜେପିର ବରିଷ୍ଠ ସଦସ୍ୟ ତଥା ସଙ୍ଗଠକ ସନ୍ତୋଷ ପ୍ରଧାନଙ୍କ ସମେତ ପରିଷଦର ସଦସ୍ୟ ଓ ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏଥିରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଓ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ପ୍ରାୟ ୨୦୦ ମିଟରରୁ ଊର୍ଦ୍ଧ୍ୱ ଲମ୍ବର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ପରିକ୍ରମା କରିଥିଲେ। ସେହିପରି ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଛାତ୍ରମାନେ ମଧ୍ୟ ଉତ୍ସାହର ସହ ଯୋଗଦେଇଥିଲେ। ସମବେତ ସଦସ୍ୟ, ବୁଦ୍ଧିଜୀବୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଦଲକ ଗୟଳସିଂହ ମନ୍ଦିର ପ୍ରାଙ୍ଗଣରୁ ବାହାରି ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ବେଢ଼ାରେ ପହଞ୍ଚିଥିଲା। ସେଠାରେ ଦେଶ ମାତୃକାର ସମ୍ମାନାର୍ଥେ ସମସ୍ତେ ସମବେତ ଭାବେ ‘ବନ୍ଦେ ମାତରମ୍’ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଓଡ଼ଗାଁ ବିକାଶ ପରିଷଦ ପକ୍ଷରୁ ଅଚ୍ୟୁତାନନ୍ଦ ପଣ୍ଡା, ଶ୍ରୀମନ୍ତ ମହାରଣା, ଜଗନ୍ନାଥ ପାଣିଗ୍ରାହୀ, କାର୍ତ୍ତିକ ପଣ୍ଡା, ବାଦଲ ମହାରଣା, ରାଜେଶ ସେଠୀ, ସତ୍ୟନାରାୟଣ ନାୟକ ଓ କବିରାଜ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.