ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନାବାଳିକାଙ୍କୁ ପୁନର୍ବାର ନେଇଯିବାକୁ ଉଦ୍ୟମ କରି ବିଫଳ ହେବା ପରେ ତାଙ୍କ ଘର ଆଗରେ ଜଣେ ଯୁବକ ବିଷପାନ କରିବାର ଅଭିନୟ କରି ହାଇଡ୍ରାମା କରିଥିବା ଘଟଣା ମଙ୍ଗଳବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିବା ସହ ନାବାଳିକା ଅପହରଣ ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେଶପୁର ଗ୍ରାମର ବୁଲୁ ନାୟକଙ୍କ ପୁଅ ଶିବ ନାୟକ ଗତ ଜୁଲାଇ ମାସରେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ପରେ ନାବାଳିକା କୌଶଳକ୍ରମେ ଖସି ଆସି ଘରେ ରହୁଥିଲେ। ଏନେଇ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମଙ୍ଗଳବାର ଶିବ ପୁନର୍ବାର ନାବାଳିକାଙ୍କୁ ନେଇଯିବାକୁ ତାଙ୍କ ଘରେ ପହଞ୍ଚିଥିଲେ। ତେବେ ନାବାଳିକା ତାଙ୍କ ସହ ଯିବାକୁ ରାଜି ନହେବାରୁ ଯୁବକ ଜଣକ ହାତରେ କନିଅର ଫଳ ଧରି ଖାଇଦେଇ ମରିଯିବାର ଅଭିନୟ କରିଥିବା ଅଭିଯୋଗ ହୋଇଛି। କିଛି ସମୟ ଧରି ଘର ଆଗରେ ଏଭଳି ହାଇଡ୍ରାମା ଚାଲିବା ପରେ ଶିବ ନିଜେ ୧୧୨କୁ ଫୋନ୍ କରି ପୋଲିସର ସହାୟତା ମାଗିଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବଙ୍କୁ ଉଦ୍ଧାର କରିବା ସହ ପଚରାଉଚରା କରିଥିଲା। ତଦନ୍ତରୁ ନାବାଳିକାଙ୍କୁ ପୂର୍ବରୁ ଅପହରଣ କରି ନେଇଥିବା ଅଭିଯୋଗ ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଅପହରଣ ଅଭିଯୋଗରେ ଶିବଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.