​ସମ୍ ନର୍ସିଂ କଲେଜ କ୍ୟାମ୍ପସ-୨ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

45


ଭୁବନେଶ୍ୱର, ଅଗଷ୍ଟ ୧୨: ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ କ୍ୟାମ୍ପସ -୨ ପକ୍ଷରୁ ଅଗଷ୍ଟ ୬ ଓ ୭ ଦୁଇ ଦିନ ଧରି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏସ୍ଏନ୍ସି-କ୍ୟାମ୍ପସ୍-୨ର ଡିନ୍ ଡାକ୍ତର ଅନୁରାଧା ପଣ୍ଡା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତତ୍ୱାବଧାନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ବାର୍ତା ରହିଥିଲା “ସ୍ତନ୍ୟପାନ ଦ୍ୱାରା ଜୀବନରେ ସୁସ୍ଥ ଓ ସ୍ଥାୟୀ ଆରମ୍ଭ: ଯାହା କାର୍ଯ୍ୟକାରୀ, ତାହାକୁ ସୁଦୃଢ଼ କରିବା ।”
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ସମ୍ ହସ୍ପିଟାଲ କ୍ୟାମ୍ପସ ୨ର ପୂର୍ବତନ ଡିନ୍ ତଥା ସୋଆର ଉପଦେଷ୍ଟା ଓ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅରଖିତ ସ୍ୱାଇଁ ଯୋଗ ଦେଇ ସ୍ତନ୍ୟପାନର ଗୁରୁତ୍ୱ ଏବଂ ମାଆ ଓ ଶିଶୁଙ୍କ ପାଇଁ ଆବଶ୍ୟକୀୟ ସହାୟତା ସଂପର୍କରେ ବିଶେଷ ଆଲୋଚନା କରିଥିଲେ । ଏହାପରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ଶ୍ରୀମତୀ ତନୁସ୍ମିତା ଦାସ, ଶ୍ରୀ ତୀର୍ଥସ୍ପଦ ରାଉତ, ଶ୍ରୀମତୀ ସୁଚିସ୍ମିତା ମହାନ୍ତ, କୁମାରୀ ଅପର୍ଣ୍ଣା ଜେନା ଓ କୁମାରୀ ସୌମ୍ୟଶ୍ରୀ ପାତ୍ରୋ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ କ୍ୟାମ୍ପସ-୨ରେ ଗର୍ଭବତୀ ଓ ପ୍ରସବୋତର ମାଆ ଏବଂ ସେମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍ତନ୍ୟପାନର ଉପକାରିତା ସହିତ ମାଆମାନଙ୍କୁ ପରିବାରର ସହଯୋଗ ଯୋଗାଇ ଦେବାର ଗୁରୁତ୍ୱ ଉପରେ ଆଲୋଚନା ହେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ତନ୍ୟପାନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମ ମାଧ୍ୟମରେ ସ୍ତନ୍ୟପାନର ଗୁରୁତ୍ୱ ସଂପର୍କରେ ସଚେତନତା ବୃଦ୍ଧି ସହ ମାଆ ଓ ଶିଶୁଙ୍କୁ ସହାୟତା କରିବାରେ ସ୍ୱାସ୍ଥ୍ୟକର୍ମୀ, ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ସମିଳିତ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Leave A Reply

Your email address will not be published.