ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୨/୮/୨୬ ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର/ଗୁଡ଼ିଆବନ୍ଧା: ବ୍ଲକ ଜୋନ୍–୧ ଅନ୍ତର୍ଗତ ମଧ୍ୟରେ -୧୭ ଜୋନାଲ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିଆବନ୍ଧାସ୍ଥିତ ବସନ୍ତ ଦେବୀ ବିଦ୍ୟାପୀଠ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଜୋନ୍–୧ ଅଧୀନସ୍ଥ ୪ଟି ଉଚ୍ଚ ବିଦ୍ୟାଳୟ—ବସନ୍ତ ଦେବୀ ବିଦ୍ୟାପୀଠ, ଗୁଡ଼ିଆବନ୍ଧା; ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନାଇରା; ସରକାରୀ ଅପଗ୍ରେଡେଡ୍ ହାଇସ୍କୁଲ୍, ଡେରିଗାଁ ଏବଂ ସରକାରୀ ଅପଗ୍ରେଡେଡ୍ ହାଇସ୍କୁଲ୍, ଅମ୍ବାବାଡ଼ିର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ଓ ଖେଳରେ ଅଂଶଗ୍ରହଣ କରିଥିଲେ।
ଉଦ୍ଘାଟନୀ ଅବସରରେ ଜୋନାଲ୍ ହେଡ୍ ତଥା ନାଇରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସିମାଞ୍ଚଳ ବିଡ଼ିକା ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ବସନ୍ତ ଦେବୀ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶ୍ରୀ ଯୁଧିଷ୍ଠିର ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।
କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନାରେ ଗୁଡ଼ିଆବନ୍ଧାର କ୍ରୀଡା ଶିକ୍ଷକ ଶ୍ରୀ ଓଡ଼ି ମୁରଲୀଶ୍ୱରଙ୍କ ସହ ବ୍ଲକର ସମସ୍ତ କ୍ରୀଡ଼ା ଶିକ୍ଷକମାନେ ସହଯୋଗ କରିଥିଲେ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ପରିଚାଳନା ମଧ୍ୟ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକଙ୍କ ଦ୍ୱାରା କରାଯାଇଥିଲା। ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।
ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ପରବର୍ତ୍ତୀ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା। ଏହି ଆୟୋଜନ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଶାରୀରିକ ସୁସ୍ଥତା ଓ ପ୍ରତିଯୋଗିତାମୂଳକ ମନୋଭାବ ବିକାଶରେ ସହାୟକ ହୋଇଥିଲା।