ବଡ଼ମାଳ: ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ନେଇ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବଡ଼ମାଳ ଥାନା ପରିସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଡ଼ମାଳ ଥାନାଧିକାରୀ ଦିଲୀପ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା ସଭାରେ ବରିଷ୍ଠ ନାଗରିକମାନଙ୍କୁ ବର୍ତ୍ତମାନ ସମୟରେ ସାଇବର ଠକେଇର ବିଭିନ୍ନ ନୂଆ କୌଶଳ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା।
ବିଶେଷ କରି ଏବେ ସାଇବର ଠକମାନଙ୍କ ଦ୍ୱାରା ଅବଲମ୍ବନ କରାଯାଉଥିବା ‘ଡିଜିଟାଲ୍ ଆରେଷ୍ଟ’ ଠକେଇ ସମ୍ପର୍କରେ ବରିଷ୍ଠ ନାଗରିକମାନଙ୍କୁ ସତର୍କ କରାଯାଇଥିଲା। ଠକମାନେ ପୁଲିସ, ସିବିଆଇ, ଇଡି କିମ୍ବା ଅନ୍ୟ କୌଣସି ସରକାରୀ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଫୋନ୍ କରିବା, ଭିଡିଓ କଲ୍ରେ ଭୟଭୀତ କରିବା ଏବଂ ଆଇନଗତ ମାମଲାରେ ଫସିଥିବା କହି ଟଙ୍କା ଦାବି କରିବା ଭଳି ଘଟଣା ଘଟୁଛି। ଏପରି ଫୋନ୍ କିମ୍ବା ଭିଡିଓ କଲ୍ରେ ଭୟଭୀତ ନହୋଇ ତୁରନ୍ତ କଲ୍ କାଟିଦେବା ଏବଂ ସମ୍ପୃକ୍ତ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ଓଟିପି, ଏଟିଏମ୍/ଡେବିଟ୍ କାର୍ଡ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ସୂଚନା, ପାସୱାର୍ଡ ଓ ବ୍ୟକ୍ତିଗତ ତଥ୍ୟ କୌଣସି ଅଜଣା ବ୍ୟକ୍ତିଙ୍କ ସହ ଶେୟାର ନକରିବାକୁ ସଚେତନ କରାଯାଇଥିଲା। ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନକରିବା, ଅଜଣା ଆପ୍ ଡାଉନଲୋଡ୍ ନକରିବା ଏବଂ ସୋସିଆଲ୍ ମିଡିଆରେ ବ୍ୟକ୍ତିଗତ ତଥ୍ୟ ଶେୟାର କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା।
ବରିଷ୍ଠ ନାଗରିକମାନେ ସାଇବର ଠକେଇର ମୁଖ୍ୟ ଟାର୍ଗେଟ୍ ହେବାର ସମ୍ଭାବନା ଥିବାରୁ ଅଜଣା ଫୋନ୍ କଲ୍, ମେସେଜ୍, ଇ-ମେଲ୍ କିମ୍ବା ଅନଲାଇନ୍ ପ୍ରସ୍ତାବ ଉପରେ ତୁରନ୍ତ ବିଶ୍ୱାସ ନକରିବାକୁ କୁହାଯାଇଥିଲା। କୌଣସି ବ୍ୟାଙ୍କ କିମ୍ବା ସରକାରୀ ସଂସ୍ଥାର ନାମ ନେଇ କେହି ଫୋନ୍ କଲେ ମଧ୍ୟ ତାଙ୍କ ପରିଚୟ ଯାଞ୍ଚ ନକରି କୌଣସି ଆର୍ଥିକ କାରବାର ନକରିବାକୁ ସଚେତନ କରାଯାଇଥିଲା।

ଏହା ସହିତ ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ଯଥାଶୀଘ୍ର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ଗ୍ରହଣ କରିବା ସହିତ ନିଜ ପରିବାରର ସଦସ୍ୟ ଓ ପରିଚିତମାନଙ୍କୁ ମଧ୍ୟ ସାଇବର ଠକେଇ ବିଷୟରେ ସଚେତନ କରିବାକୁ ଆହ୍ୱାନ କରାଯାଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମରେ ବଡ଼ମାଳ ଥାନା ଅଧୀନସ୍ଥ ସାପଡ଼ା, ତରେଇକେଲା, ହିର୍ମା, ଶ୍ରୀପୁରା, ତୁମ୍ବେକେଲା ଓ ବଡ଼ମାଳ ଅଞ୍ଚଳର ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ସାଇବର ଅପରାଧରୁ ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସଚେତନ ଓ ସତର୍କ ରହିବା ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ବର୍ତ୍ତମାନ ଡିଜିଟାଲ୍ ଯୁଗରେ ଅନଲାଇନ୍ ସେବାର ବ୍ୟବହାର ବଢ଼ୁଥିବା ବେଳେ ଏଭଳି ସଚେତନତା କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ସହିତ ଠକେଇରୁ ରକ୍ଷା ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ମତ ପ୍ରକାଶ ପାଇଥିଲା।