ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

37


ଆଇଟିଇଆରରେ ନଶା ମୁକ୍ତି ୟୁବା – ବିକଶିତ ଭାରତ ୨.୦ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର, ୨୫ ସେପ୍ଟେମ୍ବର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ‘ନଶାମୁକ୍ତି ଯୁବ-ବିକଶିତ ଭାରତ ୨.୦’ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନଶାମୁକ୍ତ ଭାରତ ଅଭିଯାନର ଆହ୍ୱାନକ୍ରମେ, ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି. କେ. ପାତ୍ର ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବା ସହ ନିଶା ଠାରୁ ଦୂରେଇ ରହି ସୁସ୍ଥ ଓ ଶୃଙ୍ଖଳିତ ଜୀବନ ବାଛିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଏନଏସଏସର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହା ଯୋଗ ଦେଇ ନଶାମୁକ୍ତ ଭାରତ ଅଭିଯାନକୁ ଏକ ଜନଆନ୍ଦୋଳନ ବୋଲି ବର୍ଣ୍ଣନା କରିବା ସହ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଏହାର ଦୂତ ହୋଇ ଗାଁ, ବସ୍ତି ଓ ନିଜ ଶିକ୍ଷାନୁଷ୍ଠାନରେ ସଚେତନତାର ବାର୍ତା ପହଂଚାଇବାକୁ ଆହ୍ୱାନ ଦେଇଥିଲେ ।
ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ଆପଣାଇବା ସହ ଖେଳ, ଯୋଗ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ମନୋନିବେଶ କରି ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଆଇଟିଇଆରର ଡିନ୍ ପ୍ରଫେସର ପି. କେ. ସାହୁ ସାଙ୍ଗସାଥୀଙ୍କ ଚାପ ଓ ଅନୁଚିତ ପ୍ରଲୋଭନ ପ୍ରତି ସତର୍କ ରହିବା ସହ ନିଶା ସେବନର ପ୍ରଥମ ପ୍ରସ୍ତାବକୁ ଦୃଢ଼ତାର ସହ ‘ନା’ କହିବାକୁ ପରାମର୍ଶ ଦେଇଥିଲେ ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଶେଷଜ୍ଞ ଡାକ୍ତରମାନେ ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଯକୃତ, ହୃଦୟ ଓ ମସ୍ତିଷ୍କକୁ କିପରି କ୍ଷତି ପହଂଚାଏ, ସେ ବିଷୟରେ ବୁଝାଇଥିଲେ । ଏହାସହ ନିଶା, ଅବସାଦ, ଆର୍ଥିକ ସଙ୍କଟ, ପାଠପଢ଼ାରେ ବାଧା ଓ କ୍ୟାରିୟରରେ କ୍ଷତିର କାରଣ ହୋଇପାରେ ବୋଲି ସେମାନେ ସଚେତନ କରାଇଥିଲେ । ଡାକ୍ତର ଅବିନାଶ ମିଶ୍ର ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ନିଶାକୁ ମନର ଶୂନ୍ୟତା ସହ ଯୋଡ଼ି ବ୍ୟାଖ୍ୟା କରିଥିଲେ ଏବଂ ଆତ୍ମସଂଯମ ଓ ସକାରାତ୍ମକ ଜୀବନଦୃଷ୍ଟି ଗଢ଼ିବା ପାଇଁ ପ୍ରତିଦିନ ଭଗବଦ୍‌ଗୀତା ପାଠ କରିବା ଓ ଆଧ୍ୟାତ୍ମିକ ଜୀବନ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ସୋଆ ଏନ୍‌ଏସ୍‌ଏସ୍‌ର କୋଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ନିଜ ଉଦ୍‌ବୋଧନରେ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ି ଓ ଏନ୍‌ଏସ୍‌ଏସ୍ ସ୍ୱୟଂସେବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସଚେତନତାର ବାର୍ତାକୁ ନିଜ ଜୀବନରେ ପାଳନ କରିବା ସହ ପରିବାର, ସାଙ୍ଗସାଥୀ ଓ ସମାଜ ମଧ୍ୟରେ ପହଂଚାଇବାକୁ ସେ ଉତ୍ସାହିତ କରିଥିଲେ । ଡକ୍ଟର କନକଲତା ଓଝା କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ଶେଷରେ ଶତାଧିକ ଛାତ୍ରଛାତ୍ରୀ ନଶାମୁକ୍ତ ଭାରତ ଗଠନର ଶପଥ ନେଇଥିଲେ । ସଚେତନ, ସୁସ୍ଥ ଓ ନିଶାମୁକ୍ତ ଯୁବପିଢ଼ି ହିଁ ସୁଦୃଢ଼ ସମାଜ ଏବଂ ବିକଶିତ ଭାରତ ଗଠନର ଆଧାର-ଏହି ବାର୍ତା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Leave A Reply

Your email address will not be published.