ସେମିକନ୍ ଇଣ୍ଡିଆ-୨୦୨୬ରେ ଏନ୍‌ଆଇଟି ରାଉରକେଲାର ସ୍ୱଦେଶୀ ଚିପ୍ ଓ ସେମିକଣ୍ଡକ୍ଟର ଗବେଷଣା ପ୍ରଦର୍ଶିତ

13

ରାଉରକେଲା, (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ନୂଆଦିଲ୍ଲୀର ଯଶୋଭୂମିଠାରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୬ରେ ଓଡ଼ିଶା ପାଭିଲିୟନ ଅଧୀନରେ ଏନ୍‌ଆଇଟି ରାଉରକେଲା ପକ୍ଷରୁ ଦେଶର ସେମିକଣ୍ଡକ୍ଟର କ୍ଷେତ୍ରରେ ହେଉଥିବା ବିଭିନ୍ନ ଗବେଷଣା, ସ୍ୱଦେଶୀ ଚିପ୍ ଡିଜାଇନ୍, ହାର୍ଡୱେର ସୁରକ୍ଷା, ଏମ୍ବେଡେଡ୍ ସିଷ୍ଟମ୍ ଓ ସ୍ମାର୍ଟ ଆଇଓଟି (IoT) ପ୍ରଯୁକ୍ତି ପ୍ରଦର୍ଶିତ ହୋଇଛି।
ଏନ୍‌ଆଇଟି ରାଉରକେଲା ପକ୍ଷରୁ ଭୌତିକ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଜ୍ୟୋତି ପ୍ରକାଶ କର ଏବଂ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ପ୍ରଫେସର ଆୟାସ କାନ୍ତ ସ୍ୱାଇଁ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।
ଏଥିରେ ସେମିକଣ୍ଡକ୍ଟର ସାମଗ୍ରୀ, ଡିଭାଇସ୍ ଓ ପ୍ରଯୁକ୍ତି ସମ୍ପର୍କିତ ଗବେଷଣା, ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ବିକାଶ ପାଇଁ ନୂତନ M.Tech. କାର୍ଯ୍ୟକ୍ରମ ‘Semiconductor Devices and Technology’, ସ୍ୱଦେଶୀ ଆଇସି (IC) ଡିଜାଇନ୍, ହାର୍ଡୱେର ସୁରକ୍ଷା, ଏମ୍ବେଡେଡ୍ ସିଷ୍ଟମ୍, IoT ପ୍ରଯୁକ୍ତି ଏବଂ ସିଲିକନ୍ ଚିପ୍ ନିର୍ମାଣ ସମ୍ପର୍କିତ ଗବେଷଣା ପ୍ରଦର୍ଶିତ ହୋଇଥିଲା।
ପ୍ରଫେସର ଆୟାସ କାନ୍ତ ସ୍ୱାଇଁଙ୍କ ସହ ୩ ଜଣ ପିଏଚ୍‌ଡି ଗବେଷକ ବି. କାୟନ କୁମାର, ଭାରତ ପାଟିଦାର ଓ ପ୍ରଦୀପ କୁମାର ମହାନ୍ତି ମଧ୍ୟ ଏହି ପ୍ରଦର୍ଶନୀରେ ଅଂଶ ନେଇଥିଲେ। MeitYର Chip-to-Startup (C2S) କାର୍ଯ୍ୟକ୍ରମ ଅଧୀନରେ ବିକଶିତ ଏବଂ ସେମିକଣ୍ଡକ୍ଟର କମ୍ପ୍ଲେକ୍ସ ଲିମିଟେଡ୍ (SCL), ମୋହାଲିରେ ନିର୍ମିତ ବିଭିନ୍ନ ସ୍ୱଦେଶୀ ପ୍ରଯୁକ୍ତି ଏଠାରେ ପ୍ରଦର୍ଶିତ ହୋଇଥିଲା।


ପ୍ରଦର୍ଶିତ ପ୍ରମୁଖ ପ୍ରଯୁକ୍ତିଗୁଡ଼ିକ ହେଲା— C2S0017 – PRESENT Lightweight Encryption IC, C2S0018 – MEMS Interface & Energy Harvesting IC, C2S0091 – ASCON AEAD Security IC ଏବଂ NodeSense – Air Quality Monitoring System।
ଏହି ପ୍ରଦର୍ଶନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ASCON AEAD Security IC (C2S0091)। ଏହାକୁ ଏନ୍‌ଆଇଟି ରାଉରକେଲାର ECE ବିଭାଗର ପିଏଚ୍‌ଡି ଗବେଷକ ପ୍ରଦୀପ କୁମାର ମହାନ୍ତି ଡିଜାଇନ୍ କରିଥିବା ବେଳେ ପ୍ରଫେସର ଆୟାସ କାନ୍ତ ସ୍ୱାଇଁ ଓ ପ୍ରଫେସର କମଳକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହା ବିକଶିତ ହୋଇଛି।
ସେମିକନ୍ ଇଣ୍ଡିଆ-୨୦୨୬ରେ ଏନ୍‌ଆଇଟି ରାଉରକେଲାର ଅଂଶଗ୍ରହଣ ଦେଶର ସେମିକଣ୍ଡକ୍ଟର ଶିକ୍ଷା, ସ୍ୱଦେଶୀ ଚିପ୍ ଡିଜାଇନ୍, ଉନ୍ନତ ଗବେଷଣା, ଚିପ୍ ଫ୍ୟାବ୍ରିକେସନ୍, ପ୍ରୋଟୋଟାଇପ୍ ଓ ପ୍ରୟୋଗଭିତ୍ତିକ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଅନୁଷ୍ଠାନର ଅବଦାନକୁ ପ୍ରତିଫଳିତ କରିଛି। ଏହା ମାଧ୍ୟମରେ ଭାରତର ସେମିକଣ୍ଡକ୍ଟର ପରିବେଶ ପାଇଁ ଦକ୍ଷ ମାନବ ସମ୍ବଳ ଓ ପ୍ରଯୁକ୍ତିଗତ କ୍ଷମତା ବିକାଶ ଦିଗରେ ଏନ୍‌ଆଇଟି ରାଉରକେଲାର ପ୍ରୟାସ ଆହୁରି ମଜବୁତ ହୋଇଛି।

Leave A Reply

Your email address will not be published.