ପୁରୀ, ୧୦/୮: ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତେଜିଲା ଦାବି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାକୁ ଅପରିବର୍ତ୍ତିତ ରଖିବା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)। ଚଳିତବର୍ଷ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା କାର୍ଡକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ନେଇ ମସୁଧା ଚାଲିଥିବା ଖବର ପରେ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।
ଓଜେୟୁ ରାଜ୍ୟ କମିଟିର ଡାକରା କ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୁରୀରେ ମଧ୍ୟ ସୋମବାର ପୂର୍ବାହ୍ନରେ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାକୁ ପୂର୍ବପରି ଅପରିବର୍ତ୍ତିତ ରଖିବା ସହ ସାମ୍ବାଦିକମାନଙ୍କ ପିତାମାତାଙ୍କୁ ମଧ୍ୟ ଏହି ଯୋଜନାରେ ତାଲିକାଭୁକ୍ତ କରିବାକୁ ଦାବି କରାଯାଇଛି। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡ଼ିତ ଏହି ଯୋଜନାକୁ ପରିବର୍ତ୍ତନ କରାନଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।
ଯଦି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାକୁ ପରିବର୍ତ୍ତନ କରି ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ଓଜେୟୁ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର, ସଂଘର ଆଇନ ପରାମର୍ଶଦାତା ରାମଚନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦିକା ବନିତା ଦୀକ୍ଷିତ, ଦିବ୍ୟରଞ୍ଜନ ବିଶୋଇ, ଅରୁଣ କୁମାର, ପ୍ରଦୀପ କୁମାର ପ୍ରଧାନ, ଅନିମେଶ ପଟ୍ଟନାୟକ, ସଞ୍ଜୟ ଅଗ୍ରୱାଲ, ଅକ୍ଷୟ କୁମାର ସ୍ୱାଇଁ, ସନ୍ତୋଷ କୁମାର ଦାସଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ସାମ୍ବାଦିକ ଉପସ୍ଥିତ ଥିଲେ।