ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ମାଲକାନଗିରି ବଙ୍ଗାଳୀ ସମାଜ ଅଧୀନସ୍ଥ ଶିକ୍ଷା ସଂସ୍କାର ସମିତି ପକ୍ଷରୁ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ଏମ୍.ଭି.-୧୦ ଗ୍ରାମରେ ଏକ ଶିଶୁ ସେବା ସଦନର ଶୁଭ ଉଦ୍ଘାଟନ କରାଯାଇଛି।
ଏହି ଅବସରରେ ବଙ୍ଗାଳୀ ସମାଜର କାର୍ଯ୍ୟକାରୀ ସଭାପତି ସୁନୀଲ କୁମାର ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀ, କୋର କମିଟି ସଦସ୍ୟ ଉତ୍ତମ ଓଝା ଓ ନିହାର ରାୟ, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ଉପଦେଷ୍ଟା ରମେନ ରାୟ, ଶିକ୍ଷା ସଂସ୍କାର ସମିତିର ସଭାପତି ତାରକ ମଣ୍ଡଳ, ସମ୍ପାଦକ ସୁଧୀର ସିକଦାର, ଉପସଭାପତି ସାଧନାରାଣୀ ମଣ୍ଡଳ, ସଞ୍ଜୀବ କୁମାର ବୈଦ୍ୟ, କୋଷାଧ୍ୟକ୍ଷ ବିଶ୍ୱଜିତ ବିଶ୍ୱାସ, ମୁଖ୍ୟ ପ୍ରବକ୍ତା ରଞ୍ଜିତ ସରକାର, ନିରାପଦ ବିଶ୍ୱାସ, ଯୁଗ୍ମ ସମ୍ପାଦକ ତାପସୀ ଗୋମସ୍ତା, ଶିକ୍ଷକ ମିହିର ବିଶ୍ୱାସ, ବିନୟ ମଣ୍ଡଳ, ଶ୍ରୀକାନ୍ତ କବିରାଜ, ଗ୍ରାମ କମିଟି ସଭାପତି ନାରାୟଣ ଗାଇନ, ସମ୍ପାଦକ ସୁବ୍ରତ ମଣ୍ଡଳ ଏବଂ ଗୌଡ଼ଗୁଡ଼ା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ସୁବାଷ ଚନ୍ଦ୍ର ବିଶ୍ୱାସ ଉପସ୍ଥିତ ଥିଲେ। ଅତିଥିମାନେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଉଦ୍ବୋଧନ ଦେଇ ଶିକ୍ଷାର ଗୁରୁତ୍ୱ, ନୈତିକ ମୂଲ୍ୟବୋଧ ଓ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଶିଶୁ ସେବା ସଦନରେ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶୈକ୍ଷିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ନୈତିକ ଶିକ୍ଷା, ମୂଲ୍ୟବୋଧ, ସଂସ୍କାର, ନିୟମିତ ଯୋଗ ଅଭ୍ୟାସ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ଅଧାରୁ ପାଠ ଛାଡ଼ିଥିବା ଶିକ୍ଷାର୍ଥୀମାନଙ୍କୁ ପୁନର୍ବାର ବିଦ୍ୟାଳୟମୁଖୀ କରିବା, ଭବିଷ୍ୟତରେ ପାଠାଗାର ସ୍ଥାପନ କରିବା ଏବଂ ରାଷ୍ଟ୍ରପ୍ରେମ ଓ ସକାରାତ୍ମକ ଚିନ୍ତାଧାରାର ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଅତିଥିମାନେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମ ଅବସରରେ ଅଭିଭାବକମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଜ ସନ୍ତାନଙ୍କ ପ୍ରତି ଅଧିକ ଯତ୍ନଶୀଳ ଓ ସଚେତନ ରହିବାକୁ ଅଭିଭାବକମାନଙ୍କୁ ଆହ୍ୱାନ ଜଣାଯାଇଥିଲା। ସେହିପରି ଆଗାମୀ ଦିନରେ ଶିକ୍ଷା ସଂସ୍କାର ସମିତି ଗ୍ରାମର ସାମଗ୍ରିକ ଶିକ୍ଷାଗତ ଓ ସାମାଜିକ ବିକାଶରେ ସକ୍ରିୟ ସହଯୋଗ ଜାରି ରଖିବ ବୋଲି ମଧ୍ୟ ପ୍ରକାଶ କରାଯାଇଥିଲା।
ସ୍ୱେଚ୍ଛାସେବୀ ଶିଶୁ ସେବକ ଧର୍ମେନ୍ଦ୍ର ସରଦ୍ଦାର ଏହି ସଦନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ। ଶେଷରେ ନାଏବ ସରପଞ୍ଚ ସୁବାଷ ଚନ୍ଦ୍ର ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।