ଜଳାଶୟ ପୁନରୁଦ୍ଧାର : ୩ବର୍ଷରେ ଓଡ଼ିଶା କେନ୍ଦ୍ରରୁ ପାଇଛି ୧୮୨୯ କୋଟି

34
  • ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର/ନୂଆଦିଲ୍ଲୀ,୧୦ା୮: ଜଳାଶୟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଗତ ୩ବର୍ଷରେ ଓଡ଼ିଶାକୁ ୧୮୨୯ କୋଟି ୫୬ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଜଳଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ୨୦୧୫-୧୬ ବର୍ଷରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଆରମ୍ଭ ହୋଇଥିଲା । ଫସଲ ପାଇଁ ଜଳ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ଜଳ ସଂରକ୍ଷଣ ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ଅଧୀନରେ ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକର ମରାମତି, ପୁନରୁଦ୍ଧାର ଆଦି କାର୍ଯ୍ୟ କରାଯାଇଥାଏ । ଏଥିଲାଗି ସ୍ୱତନ୍ତ୍ର ଭାବେ ‘ହର୍‌ ଖେତ୍‌ କୋ ପାନି’ କାର୍ଯ୍ୟକ୍ରମ ଚାଲୁଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାକୁ ୧୬୨.୮୭୫ କୋଟି ଟଙ୍କା ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ତିନୋଟି ଆର୍ଥôକ ବର୍ଷରେ ମିଳିଛି । ଏଥିରେ ୪୩୩ଟି ଗଡ଼ିଆ ପୋଖରୀ ସମେତ ଅନ୍ୟାନ୍ୟ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି ।

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ଅମୃତ ଯୋଜନାରେ ସହରାଞ୍ଚଳ ଜଳ ଉତ୍ସଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରୁଛନ୍ତି । ଅମୃତ ଯୋଜନାରେ ଗତ ୩ବର୍ଷ ଭିତରେ ରାଜ୍ୟର ବିଭିନ୍ନ ସହରରେ ୨୭ଟି ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି ଯେଉଁଥିପାଇଁ କେନ୍ଦ୍ର ସରକାର ୬୨୧.୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଶ୍ରୀ ରାୟଙ୍କୁ କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜି ନରେଗା)ରେ କିନ୍ତୁ ଗତ ୩ବର୍ଷ ଭିତରେ ଓଡ଼ିଶାରେ ବ୍ୟାପକ ଜଳ ଉତ୍ସର ପୁନରୁଦ୍ଧାର କରାଯାଇଛି । ଏଥିପାଇଁ କେନ୍ଦ୍ରରୁ ଓଡ଼ିଶାକୁ ୧୦୪୫ କୋଟି ୨୩ଲକ୍ଷ ଟଙ୍କାର ସହାୟତା ମିଳିଛି, ଯେଉଁଥିରେ ୧୯୧୩୧ଟି ଜଳଉତ୍ସର ପୁନରୁଦ୍ଧାର କରାଯାଇପାରିଛି । ଏହାଛଡ଼ା ବର୍ଷା ଜଳ ସଂରକ୍ଷଣ ପାଇଁ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଶା ବ୍ୟାପକ ସହାୟତା ପାଇଛି, ଯେଉଁଥିରେ ୨୫,୨୫୩ଟି ଜଳ ଉତ୍ସର ପୁନରୁଦ୍ଧାର କାର୍ଯ୍ୟ ଗତ ୩ବର୍ଷ ମଧ୍ୟରେ ହୋଇପାରିଛି ।

ଓଡ଼ିଶାରେ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା କାରଣରୁ ଭବିଷ୍ୟତ ପାଇଁ ଏହା ଆହ୍ୱାନ ସୃଷ୍ଟି କରିପାରେ ବୋଲି ସାଂସଦ ଶ୍ରୀ ରାୟ ଉଦ୍‌ବେଗର ସହ କହିଛନ୍ତି । ଏଭଳି ଘଟିଲେ କୃଷି କ୍ଷେତ, ପାନୀୟ ଜଳ ଓ ପଶୁ ପାଳନ କ୍ଷେତ୍ର ପ୍ରତି ଗୁରୁତର ସଂକଟ ସୃଷ୍ଟି ହୋଇପାରେ । ଏହି ସମସ୍ୟାକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ନଦୀ, ହ୍ରଦ, ଝରଣା, ଗଡ଼ିଆ, ପୋଖରୀ, ଯୋର ଓ ଅନ୍ୟାନ୍ୟ ଜଳ ଉତ୍ସଗୁଡ଼ିକରେ ଯେପରି ବର୍ଷ ତମାମ ଜଳ ଭର୍ତ୍ତି ହୋଇ ରୁହେ ସେ ଦିଗରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥôକ ସହାୟତା ଦେବା ଲାଗି ଏକ ବିବୃତିରେ ଶ୍ରୀ ରାୟ ଦାବି କରିଛନ୍ତି ।

Leave A Reply

Your email address will not be published.