ଭଦ୍ରକ, ୧୦/୦୮: ଶିଶୁ ଓ କିଶୋର-କିଶୋରୀଙ୍କୁ କୃମି ସଂକ୍ରମଣରୁ ମୁକ୍ତ ରଖି ସେମାନଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଭଦ୍ରକ ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ – ଅଗଷ୍ଟ ପର୍ଯ୍ୟାୟ ୨୦୨୬ ପାଳିତ ହୋଇଯାଇଛି।
ଏହି ଅବସରରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘରପୋଖରୀ ଗ୍ରାମ ପଂଚାୟତ ହାଇସ୍କୁଲ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଭଦ୍ରକ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ।
Healthy Children, Brighter Future’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ମଧ୍ୟରେ କୃମି ସଂକ୍ରମଣ ହ୍ରାସ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଶାରୀରିକ ବିକାଶକୁ ସୁନିଶ୍ଚିତ କରିବା। ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଫେବୃଆରୀ ଓ ଅଗଷ୍ଟରେ ଦୁଇଟି ପର୍ଯ୍ୟାୟରେ କରାଯାଉଛି।
ଜିଲ୍ଲାର ସମସ୍ତ ଅଭିଭାବକ, ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଏହି ଅଭିଯାନକୁ ସଫଳ କରିବା ସହିତ ଯୋଗ୍ୟ ଶିଶୁମାନଙ୍କୁ ନିର୍ଦ୍ଧାରିତ କୃମିନାଶକ ଔଷଧ ସେବନ କରାଇବା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।