ମାଲକାନଗିରି-08/08/26,ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କୁ ଙ୍କୁ ସମୟୋପଯୋଗୀ ରକ୍ତଦାନ କରି ସ୍ଥାନୀୟ ଯୁବକ ସନ୍ତୋଷ ନାଏକ ଜୀବନଦାନ ଦେଇଛନ୍ତି।
ସୂଚନା ଅନୁଯାୟୀ,ଚିତ୍ରକୋଣ୍ଡା ବ୍ଳକ୍ ପାପଲୁର ପଞ୍ଚାୟତ ଅନ୍ତର୍ଗତ ରାସବେଡ଼ା ଗ୍ରାମର ହରି ସୀସା (୪୦), ପିତା ଶୁକ୍ରା ସୀସା, ଏକ ରୋଗରେ ପୀଡ଼ିତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଚିକିତ୍ସା ସମୟରେ ତାଙ୍କ ପାଇଁ ‘ବି ପଜିଟିଭ୍’ ରକ୍ତର ଆବଶ୍ୟକତା ପଡ଼ିଥିଲା। ଡାକ୍ତର ରକ୍ତ ବ୍ୟବସ୍ଥା କରିବାକୁ ପରିବାର ସଦସ୍ୟଙ୍କୁ କହିବା ପରେ ସେମାନେ ଚିନ୍ତାରେ ପଡ଼ିଥିଲେ।
ଏହି ଖବର ପାଇ ପରିବାର ଲୋକେ ସମାଜସେବୀ ବିକ୍ରମ ପାଢ଼ୀଙ୍କ ସହ ଯୋଗାଯୋଗ କରିଥିଲେ। ବିକ୍ରମ ତୁରନ୍ତ ତାଙ୍କ ବନ୍ଧୁ ସନ୍ତୋଷ ନାଏକଙ୍କୁ ରକ୍ତଦାନ ପାଇଁ ଅନୁରୋଧ କରିଥିଲେ। ସନ୍ତୋଷ ବିଳମ୍ବ ନକରି ମେଡିକାଲରେ ପହଞ୍ଚି ରକ୍ତଦାନ କରିଥିଲେ। ଫଳରେ ଗୁରୁତର ରୋଗୀ ରକ୍ତହୀନତାରୁ ରକ୍ଷା ପାଇଥିବାବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।
ଏହି ମହତ୍ କାର୍ଯ୍ୟ ପାଇଁ ରୋଗୀଙ୍କ ପରିବାର ସଦସ୍ୟମାନେ ବିକ୍ରମ ପାଢ଼ୀ ଓ ସନ୍ତୋଷ ନାଏକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଏହି ପରିସ୍ଥିତିରେ ଅଧିକରୁ ଅଧିକ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ସଂଗଠନ ଆଗକୁ ଆସି ରକ୍ତଦାନ ଶିବିର ଆୟୋଜନ କରିବାକୁ ବିକ୍ରମ ପାଢ଼ୀ ଓ ସନ୍ତୋଷ ନାଏକ ଆହ୍ୱାନ କରିଛନ୍ତି।