ମାଆ କ୍ଷୀର ଶିଶୁ ପାଇଁ ଅମୃତ ସମାନ ।
କେନ୍ଦ୍ରାପଡ଼ା:08/08(ପ୍ରଫୁଲ୍ଲ କୁମାର ମଲ୍ଲ) ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଜନ ସଚେତନତା ବୃଦ୍ଧି ଓ ମାଆ ମାନଙ୍କୁ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ପରିସରସ୍ଥିତ ସମ୍ମିଳନୀ ଗୃହରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନମିତା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ତନ୍ୟପାନର ଉପକାରିତା, ଶିଶୁଙ୍କ ସୁସ୍ଥ ବିକାଶରେ ମାଆ କ୍ଷୀରର ଭୂମିକା ଏବଂ ଶିଶୁଙ୍କୁ ସଠିକ୍ ଭାବେ ସ୍ତନ୍ୟପାନ କରାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସରକାରୀ ଏଏନ୍ଏମ୍ ତାଲିମ କେନ୍ଦ୍ର ଓ ତୁଳସୀ ନର୍ସିଂ କଲେଜର ଛାତ୍ରୀମାନେ ମାଆ କ୍ଷୀରର ଉପକାରିତା ଏବଂ ସ୍ତନ୍ୟପାନର ଅଭାବରୁ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଦୁଇଟି ଏକକ ଅଭିନୟ ପରିବେଷଣ କରିଥିଲେ। ବାସ୍ତବ ଜୀବନର ଚିତ୍ରକୁ ନିଖୁଣ ଭାବେ ଉପସ୍ଥାପନ କରିଥିବା ଏହି ଅଭିନୟ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ସୁଲଗ୍ନା ନେଗି ମାଆ କ୍ଷୀରକୁ ଶିଶୁ ପାଇଁ ଅମୃତ ସମାନ ବୋଲି ଉଲ୍ଲେଖ କରି କହିଥିଲେ ଯେ, ଜନ୍ମ ପରେ ଯଥାଶୀଘ୍ର ଶିଶୁକୁ ସ୍ତନ୍ୟପାନ କରାଇବା ଆବଶ୍ୟକ। ଶିଶୁର ଜନ୍ମରୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦେବା ସହିତ ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବାର ଗୁରୁତ୍ୱ ସେ ବୁଝାଇଥିଲେ। ସ୍ତନ୍ୟପାନ ଉଭୟ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡିପିଏମ୍ ଡାକ୍ତର ମନୋରଞ୍ଜନ ସାହୁ, ସରକାରୀ ଏଏନ୍ଏମ୍ ତାଲିମ କେନ୍ଦ୍ରର ପ୍ରିନ୍ସିପାଲ ଇନ୍ଚାର୍ଜ ଅନୁଜା ନାୟକ ଏବଂ ତୁଳସୀ ନର୍ସିଂ କଲେଜର ପ୍ରିନ୍ସିପାଲ ଜ୍ୟୋତିର୍ମୟୀ ପଟ୍ଟନାୟକ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତି ଓ ଶିଶୁଙ୍କୁ ମାଆ କ୍ଷୀର ନଦେଲେ ହେଉଥିବା ସମ୍ଭାବ୍ୟ କ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସହରାଞ୍ଚଳର ପାଞ୍ଚ ଜଣ ମାଆଙ୍କୁ ସେମାନଙ୍କ ଶିଶୁଙ୍କୁ ଛଅ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ପ୍ରଦାନ କରିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଏକକ ଅଭିନୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ନର୍ସିଂ ଛାତ୍ରୀ ମାନଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର, ଇନ୍ଚାର୍ଜମାନେ, ପୁଷ୍ଟି ପୁନର୍ବାସ କେନ୍ଦ୍ର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ାର ପରାମର୍ଶଦାତା ଓ ପରାମର୍ଶଦାତ୍ରୀ, ଏଏନ୍ଏମ୍ ଏବଂ ସହରାଞ୍ଚଳ ଆଶା କର୍ମୀମାନେ ଉପସ୍ଥିତ ଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲାସ୍ତରୀୟ କର୍ମଚାରୀଙ୍କ ସହ ଫାଇନାନ୍ସିଆଲ ଅଫିସର ଆଶୁତୋଷ ତ୍ରିପାଠୀ ମଧ୍ୟ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।ଡେପୁଟି ମ୍ୟାନେଜର ଡାକ୍ତର ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଂଯୋଜନା ଓ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।