ଅଗଷ୍ଟ ୧୦ରେ ଜାତୀୟ କୃମିନାଶନ ଦିବସ ଓ ଭିଟାମିନ-ଏ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ
ଭୁବନେଶ୍ୱର, ଅଗଷ୍ଟ ୭, ୨୦୨୬: ଶିଶୁ ସ୍ୱାସ୍ଥ୍ୟର ଉନ୍ନତି, ରକ୍ତହୀନତା ହ୍ରାସ ଏବଂ ଅନ୍ତନଳୀର କୃମି ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଓଡ଼ିଶା ସରକାର, ୟୁନିସେଫ୍ର ସହଯୋଗରେ ଆସନ୍ତା ଅଗଷ୍ଟ ୧୦, ୨୦୨୬ ତାରିଖରେ ସମଗ୍ର ରାଜ୍ୟରେ ଜାତୀୟ କୃମିନାଶନ ଦିବସ (NDD) କାର୍ଯ୍ୟକ୍ରମ ଆରମ୍ଭ କରିବେ। ଯେଉଁ ହିତାଧିକାରୀମାନେ ଅଗଷ୍ଟ ୧୦ରେ ଔଷଧ ଗ୍ରହଣ କରିପାରିବେ ନାହିଁ, ସେମାନଙ୍କ ପାଇଁ ଅଗଷ୍ଟ ୧୭ ତାରିଖରେ ଏକ ‘ମପ୍-ଅପ୍’ ପର୍ଯ୍ୟାୟ ଆୟୋଜନ କରାଯିବ।
ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାରେ ୧ରୁ ୧୯ ବର୍ଷ ବୟସର ୧.୬୧ କୋଟିରୁ ଅଧିକ ଶିଶୁ ଓ କିଶୋର/କିଶୋରୀଙ୍କୁ ଏବଂ ୨୦ରୁ ୨୪ ବର୍ଷ ବୟସର ୧୯ ଲକ୍ଷରୁ ଅଧିକ ପ୍ରଜନନ କ୍ଷମ ମହିଳାଙ୍କୁ ଆଲବେଣ୍ଡାଜୋଲ୍ ଔଷଧ ଦିଆଯିବ। ଏଥିରେ ୧ରୁ ୫ ବର୍ଷ ବୟସର ୩୨,୯୪,୬୩୦ ଜଣ ଶିଶୁ ଏବଂ ୬ରୁ ୧୯ ବର୍ଷ ବୟସର ୧,୨୮,୮୯,୦୭୧ ଜଣ ଶିଶୁ ଓ କିଶୋର/କିଶୋରୀ ସାମିଲ ଅଛନ୍ତି।
ଏହା ସହିତ ଅଗଷ୍ଟ ମାସ ସାରା ଦ୍ୱିବାର୍ଷିକ ଭିଟାମିନ-ଏ ସପ୍ଲିମେଣ୍ଟେସନ୍ (VAS) କାର୍ଯ୍ୟକ୍ରମ ମଧ୍ୟ ଚାଲିବ, ଯାହା ଅଧୀନରେ ୯ରୁ ୬୦ ମାସ ବୟସର ପ୍ରାୟ ୩୨ ଲକ୍ଷ ଶିଶୁଙ୍କୁ ଭିଟାମିନ-ଏ ପ୍ରଦାନ କରାଯିବ। ଏହା ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶିଶୁ ମୃତ୍ୟୁ ଓ ରୋଗାକ୍ରାନ୍ତତା ହ୍ରାସରେ ସହାୟକ ହେବ।

ଏହି ଅବସରରେ ଅତିରିକ୍ତ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ଡା. ଆଦିତ୍ୟ ମହାପାତ୍ର କହିଛନ୍ତି, “ଜାତୀୟ କୃମିନାଶନ ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାହା ଶିଶୁମାନଙ୍କ ମଧ୍ୟରେ କୃମି ସଂକ୍ରମଣକୁ ରୋକି ସେମାନଙ୍କୁ ସୁସ୍ଥ ଭାବେ ବିକଶିତ ହେବାରେ ସହାୟତା କରେ। ନିୟମିତ କୃମିନାଶନ ଶରୀରର ପୋଷକ ତତ୍ତ୍ୱ ଶୋଷଣ କ୍ଷମତାକୁ ବଢ଼ାଇଥାଏ, ଯାହା ଉତ୍ତମ ପୋଷଣ, ଉନ୍ନତ ଶିକ୍ଷଣ କ୍ଷମତା ଓ ରକ୍ତହୀନତା ହ୍ରାସରେ ସହାୟକ ହୁଏ। ଏହା ମହିଳା ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ମଧ୍ୟ ଉପକାରୀ।”
ୟୁନିସେଫ୍ ଓଡ଼ିଶାର ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ କହିଛନ୍ତି, “କୃମିନାଶନ ଓ ଭିଟାମିନ-ଏ ସେବାକୁ ଏକାଠି ପ୍ରଦାନ କରିବା ଦ୍ୱାରା ଶିଶୁମାନେ ଗୋଟିଏ ସ୍ଥାନରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଓ ପୋଷଣ ସେବା ପାଇପାରୁଛନ୍ତି। ଏହି ସମନ୍ୱିତ ପଦକ୍ଷେପ ଅପପୋଷଣ ହ୍ରାସ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ଶିଶୁମାନଙ୍କ ସୁସ୍ଥ ଶାରୀରିକ ଓ ମାନସିକ ବିକାଶକୁ ସମର୍ଥନ କରିଥାଏ।”
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସମନ୍ୱିତ ଏହି ବୃହତ୍ କାର୍ଯ୍ୟକ୍ରମରେ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଅଂଶଗ୍ରହଣ କରିବେ। ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଏବଂ ଆଶା କର୍ମୀମାନେ ଔଷଧ ବିତରଣରେ ସକ୍ରିୟ ଭୂମିକା ନିଭାଇବେ। ୟୁନିସେଫ୍ ଏହି ଅଭିଯାନକୁ ସହଯୋଗ କରୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଡା. ସ୍ମୃତିଜିତ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ (ପୋଷଣ); ଡା. ପ୍ରତିଭା ପ୍ରଧାନ, ଯୁଗ୍ମ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ); ଏବଂ ୟୁନିସେଫ୍ ଓଡ଼ିଶାର ପୋଷଣ ଅଧିକାରୀ ଡା. ସଞ୍ଜୟ କୁମାର ସାହୁ ଉପସ୍ଥିତ ଥିଲେ।