ଦେଉଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସଙ୍କଟ

15

-ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ମାରିଲେ ଅଭିଭାବକ

-‘ଦୁଇଜଣ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନହେଲେ ଖୋଲିବନି ତାଲା’ – ଗ୍ରାମବାସୀଙ୍କ ଚେତାବନୀ

ପାଟଣାଗଡ଼/ ବଲାଙ୍ଗିର , ୬/୮: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଧୀନ ଦେଉଳ ଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବକୁ ନେଇ ଗୁରୁବାର ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶିକ୍ଷକ ଦାବିରେ କ୍ଷୁବ୍ଧ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ। ଫଳରେ ଛାତ୍ରଛାତ୍ରୀମାନେ ସ୍କୁଲ ବାହାରେ ବସି ରହିଥିବା ଦେଖିବାକୁ ମିଳିଥିଲା।ଅଭିଯୋଗ ଅନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଗୁରୁବାର ସକାଳ ପ୍ରାୟ ୯ଟା ୪୫ ମିନିଟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ଶିକ୍ଷକ ଉପସ୍ଥିତ ନଥିଲେ। ପରେ ଗ୍ରାମବାସୀ ଫୋନ୍‌ରେ ଯୋଗାଯୋଗ କରିବାରୁ ଶିକ୍ଷକ ଟ୍ରେନିଂରେ ଥିବାରୁ ଆସିପାରିବେ ନାହିଁ ବୋଲି ଜଣାଇଥିଲେ।
ଏହାପରେ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଇଥିଲା। ସେମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ପ୍ରତିବାଦ ଆରମ୍ଭ କରିଥିଲେ। ପରିସ୍ଥିତି ସମ୍ଭାଳିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିକଟସ୍ଥ ଏମ୍‌ଇ ସ୍କୁଲରୁ ଜଣେ ଶିକ୍ଷୟିତ୍ରୀଙ୍କୁ ପଠାଯାଇଥିଲା। କିନ୍ତୁ ଗ୍ରାମବାସୀ ଏହାକୁ ଗ୍ରହଣ ନକରି ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଥିଲେ। ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି ଏବଂ ଅନୁମୋଦନ ମିଳିବା ପରେ ଶିକ୍ଷକ ନିଯୁକ୍ତ କରାଯିବ। ମାତ୍ର ଏହି ଆଶ୍ୱାସନରେ ଗ୍ରାମବାସୀ ସନ୍ତୁଷ୍ଟ ହୋଇନଥିଲେ। ସେମାନେ ସ୍ପଷ୍ଟ କରିଦେଇଛନ୍ତି ଯେ, ବିଦ୍ୟାଳୟରେ ଅତି କମରେ ଆଉ ଦୁଇଜଣ ସ୍ଥାୟୀ ଶିକ୍ଷକ ନିଯୁକ୍ତ ନହେବା ପର୍ଯ୍ୟନ୍ତ ସ୍କୁଲର ତାଲା ଖୋଲାଯିବ ନାହିଁ। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଶିକ୍ଷକ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.