ଆଜିର ବିଦ୍ୟାର୍ଥୀ ହେବେ ନବସୃଜନର ସର୍ଜନାକାରୀ
ଓଡ଼ଗାଁ, ୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନବସୃଜନ ଓ ଉଦ୍ୟୋଗିତାର ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ଆଇଟି ଲ୍ୟାବ୍ରେ ଗୁରୁବାର ‘ଇନୋଭେସନ୍ ଆଣ୍ଡ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ଅଧ୍ୟାପକ ରଶ୍ମି ରଞ୍ଜନ କରଙ୍କ ମାର୍ଗଦର୍ଶନ ଓ ମେଣ୍ଟରସିପ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ଅଭିନବ ଚିନ୍ତାଧାରା, ନୂତନ ଉଦ୍ଭାବନ ଓ ଉଦ୍ୟୋଗିକ ସମ୍ଭାବନା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ନିଜସ୍ୱ ସୃଜନଶୀଳ ଚିନ୍ତାକୁ ପ୍ରାୟୋଗିକ ରୂପ ଦେବାର ଏହି ଅବସର ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ବରିଷ୍ଠ ସାମ୍ବାଦିକ, ଉଦ୍ୟୋଗୀ ତଥା ସମାଜସେବୀ ସାରସ କୁମାର ମିଶ୍ର ବାହ୍ୟ ବିଚାରକ ଭାବେ ଯୋଗଦେଇଥିବା ବେଳେ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ନିରୋଜ କୁମାର ପ୍ରଧାନ ଆଭ୍ୟନ୍ତରୀଣ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ବିଚାରକ ଦ୍ୱୟ ପ୍ରତିଯୋଗୀମାନଙ୍କର ସୃଜନଶୀଳତା, ଅଭିନବ ଚିନ୍ତାଧାରା, ପ୍ରକଳ୍ପର ଉପଯୋଗିତା ଓ ଉପସ୍ଥାପନ ଶୈଳୀକୁ ମୂଲ୍ୟାୟନ କରିବା ସହ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଦକ୍ଷ ନେତୃତ୍ୱ ଓ ସହଯୋଗ ସହ ବିଭାଗୀୟ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତାରେ ପ୍ରତିଯୋଗିତାଟି ସଫଳ ହୋଇଥିଲା। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ନବସୃଜନ, ପ୍ରଯୁକ୍ତିଭିତ୍ତିକ ଚିନ୍ତାଧାରା ଓ ଉଦ୍ୟୋଗିତାର ମନୋଭାବ ବିକଶିତ ହେବା ସହ ଆତ୍ମନିର୍ଭର ଭବିଷ୍ୟତ ଗଠନର ଦିଗ ଉନ୍ମୁକ୍ତ ହେବ ବୋଲି ମତପ୍ରକାଶ ପାଇଛି।