ଚଳିତବର୍ଷ ହୋଇଛି ମାତ୍ର ୨ ଜଣ ନାମ ପଞ୍ଜିକରଣ, ସଚେତନତା ଓ ନାମଲେଖା ଫି’ ଛାଡ଼ ଦାବି
,
ଓଡ଼ଗାଁ, ୬।୮ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଚାଲିଥିବା ଉଚ୍ଚ ମାଧ୍ୟମିକ (+୨) ବାଣିଜ୍ୟ ବିଭାଗରେ ନାମଲେଖାକୁ ନେଇ ନୈରାଶ୍ୟଜନକ ସ୍ଥିତି ଦେଖାଦେଇଛି। ୨୦୨୫-୨୬ ଶିକ୍ଷାବର୍ଷରେ ଜଣେ ବି ଛାତ୍ରଛାତ୍ରୀ ନାମ ଲେଖାଇନଥିବା ବେଳେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷରେ ବର୍ତ୍ତମାନ ସୁଦ୍ଧା ମାତ୍ର ୨ ଜଣ ଛାତ୍ର ନାମ ଲେଖାଇଛନ୍ତି। ବିଭାଗଟି ସେଲ୍ଫ ଫାଇନାନ୍ସ ବ୍ୟବସ୍ଥାରେ ଚାଲୁଥିବାରୁ ଏତେ କମ୍ ସଂଖ୍ୟକ ଛାତ୍ରଙ୍କୁ ନେଇ ପାଠପଢ଼ା ଜାରି ରଖିବା ନେଇ କଲେଜ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ୧୯୭୮ ମସିହାରେ ଓଡ଼ଗାଁ କଲେଜ ପ୍ରତିଷ୍ଠା ପରେ ପର୍ଯ୍ୟାୟକ୍ରମେ କଳା ଓ ବାଣିଜ୍ୟ ବିଭାଗ ଖୋଲାଯାଇଥିଲା। ତେବେ ବାଣିଜ୍ୟ ବିଭାଗ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ହ୍ରାସ ପାଇବାରୁ କାଳକ୍ରମେ ଏହା ବନ୍ଦ ହୋଇଯାଇଥିଲା। ପ୍ରାୟ ୪୫ ବର୍ଷ ପରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଲକ୍ଷ୍ୟ କରି କର୍ତ୍ତୃପକ୍ଷ ପୁଣି +୨ ବାଣିଜ୍ୟ ବିଭାଗ ଖୋଲିବାକୁ ପଦକ୍ଷେପ ନେଇଥିଲେ। ଏଥିପାଇଁ ଆବଶ୍ୟକ ତଥ୍ୟ ସହ ୧ ଲକ୍ଷ ଟଙ୍କା ଜମା କରାଯାଇ ଅନୁମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୫-୨୬ ଶିକ୍ଷାବର୍ଷରେ ସେଲ୍ଫ ଫାଇନାନ୍ସ ଭିତ୍ତିରେ ନାମଲେଖା ପାଇଁ ଅନୁମତି ମିଳିଥିଲେ ମଧ୍ୟ ଅନୁମତି ପାଇବାରେ ବିଳମ୍ବ ଓ ଆବଶ୍ୟକ ପ୍ରଚାରପ୍ରସାରର ଅଭାବରୁ ଜଣେ ବି ଛାତ୍ରଛାତ୍ରୀ ନାମ ଲେଖାଇନଥିଲେ। ଚଳିତବର୍ଷ ମଧ୍ୟ ନାମଲେଖା ଆଶାନୁରୂପ ହୋଇନାହିଁ। ଅନ୍ୟପକ୍ଷରେ, ନିକଟସ୍ଥ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାଗଣା ପାଠପଢ଼ା ସହ ଅଧ୍ୟାପକଙ୍କ ତତ୍ତ୍ୱାବଧାନ ଓ ପାଠାଗାର ସୁବିଧା ଉପଲବ୍ଧ ରହିଛି। ଏହାର ତୁଳନାରେ ଓଡ଼ଗାଁ କଲେଜର +୨ ବାଣିଜ୍ୟ ବିଭାଗ ସେଲ୍ଫ ଫାଇନାନ୍ସ ବ୍ୟବସ୍ଥାରେ ଚାଲୁଥିବାରୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରୁନଥିବା ମତ ପ୍ରକାଶ ପାଇଛି। ନାମଲେଖା ଫି’ରେ ଛାଡ଼ ସହ ବ୍ୟାପକ ସଚେତନତା ଓ ପ୍ରଚାରପ୍ରସାର କରାଗଲେ ବିଭାଗଟି ପୁଣି ଛାତ୍ରଛାତ୍ରୀଙ୍କ ନିମନ୍ତେ ଆକର୍ଷଣୀୟ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ଏହି ବିଭାଗକୁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ସ୍ଥାୟୀ ଭାବେ ଚାଲୁ ରଖିବା ପାଇଁ ସ୍ଥାନୀୟ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସଚେତନତା ଓ ସହଯୋଗ ଆବଶ୍ୟକ। ନଚେତ୍ ଆଗାମୀ ଦିନରେ ବିଭାଗଟି ପୁଣି ବନ୍ଦ ହେବାର ଆଶଙ୍କା ଥିବାରୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।