ବିଜ୍ଞାନ ଓ ଗଣିତ ଶିକ୍ଷକ ଅଭାବକୁ ନେଇ ଏମ୍. ଗଣ୍ଡପାଲି ସ୍କୁଲରେ ତାଲାପକାଇଳେ ଗ୍ରାମବାସୀ

14

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ୧୯୫୯ ମସିହାରେ ପ୍ରତିଷ୍ଠିତ ଏମ୍. ଗଣ୍ଡପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ମାସ ଧରି ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି l ବିଦ୍ୟାଳୟରେ ୧୦୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟର ଶ୍ରେଣୀ ନିୟମିତ ହେଉନଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଏହାର ପ୍ରତିବାଦରେ ବୁଧବାର ସକାଳ ୯ଟା ୩୦ ମିନିଟରୁ ଦିନ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ବିଜ୍ଞାନ ଓ ଗଣିତ ଶିକ୍ଷକ ନିଯୁକ୍ତି କରିବା ସହ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ସେମାନେ ଦାବି କରିଥିଲେ।ଖବର ପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ସୁନା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ସେ ତିନି ଦିନ ମଧ୍ୟରେ ଶିକ୍ଷକ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଗ୍ରାମବାସୀ ଆନ୍ଦୋଳନ ପ୍ରତ୍ୟାହାର କରି ସ୍କୁଲର ତାଲା ଖୋଲିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୁଇ ମାସ ଧରି ବିଜ୍ଞାନ ଓ ଗଣିତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଛି । ବିଶେଷକରି ଉଚ୍ଚ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିନି ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇନଥିଲେ, ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.