ଜଗପାଡୁ ବଡବନ୍ଧର ସମୀକ୍ଷା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

10

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମରେ ଥିବା ବିରାଟ ବଡବନ୍ଧ (ପୋଖରୀ)ର ସ୍ଥିତି ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଏହି ପୋଖରୀ ସମ୍ପୂର୍ଣ୍ଣ ଜଙ୍ଗଲରେ ପରିଣତ ହୋଇଥିବାରୁ ଏହାର ଜଳସେଚନ ସୁବିଧାରୁ ସ୍ଥାନୀୟ ଚାଷୀମାନେ ବଞ୍ଚିତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୂର୍ବରୁ ଏହି ବଡବନ୍ଧର ପାଣି ଦ୍ୱାରା ଆଖପାଖ ଅଞ୍ଚଳର ବହୁ ଚାଷଜମିକୁ ଜଳସେଚନ ହୋଇ ଚାଷୀମାନେ ବ୍ୟାପକ ଉପକୃତ ହେଉଥିଲେ। କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ଓ ପୁନଃରୁଦ୍ଧାର କାର୍ଯ୍ୟ ନ ହେବାରୁ ପୋଖରୀଟି ଅକାମୀ ହୋଇପଡ଼ିଛି। ଏନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ଏହି ସମସ୍ୟା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଦୃଷ୍ଟିକୁ ଆସିବା ପରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବଡବନ୍ଧର ସ୍ଥିତି ସମୀକ୍ଷା କରିଥିଲେ। ପରିଦର୍ଶନ ପରେ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ବଡବନ୍ଧର ପୁନଃରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଚଳିତ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାଇଛନ୍ତି।
ସ୍ଥାନୀୟ ଚାଷୀମାନେ କହିଛନ୍ତି ଯେ, ବଡବନ୍ଧର ପୁନଃରୁଦ୍ଧାର ହେଲେ ଆଖପାଖର ବହୁ ଚାଷଜମିକୁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ମିଳିବ ଏବଂ କୃଷି ଉତ୍ପାଦନ ବୃଦ୍ଧି ପାଇବ।
ଏହି ପରିଦର୍ଶନ ସମୟରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସହ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଏସ୍. ଶ୍ରୀନିବାସ ରାଓ , ସରପଞ୍ଚ ଏଦେଙ୍ଗା ଶବର ଏବଂ ବହୁ ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.