ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୁନଃ ପ୍ରତିଷ୍ଠା ଲାଗି ରାଜରାସ୍ତାରେ ଛାତ୍ରଛାତ୍ରୀ।

43

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଯଥାଶୀଘ୍ର ତାହା ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ଲାଗି ଚେତାବନୀ।

କେନ୍ଦୁଝର,ତା ୫/୮- କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଧରଣୀଧର କଲେଜ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ହେଲେ ଜିଲ୍ଲାର ଏହି ଅଗ୍ରଣୀ ଅନୁଷ୍ଠାନ ପୁଣି ଥର ପୂର୍ବ ଗୌରବ ଫେରିପାଇବାର ସମ୍ଭାବନା କ୍ଷଣ ଦେଖି ଆଜି ଛାତ୍ରଛାତ୍ରୀ ମାନେ ଶହଶହ ସଂଖ୍ୟାରେ ଏକଜୁଟ ହୋଇ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସର ବାହାରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ସେମାନେ ବେଆଇନ ଭାବେ ଧରଣୀଧର ବିଶ୍ଵବିଦ୍ୟାଳୟରେ ସାମିଲ ହୋଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଅଭିଯୋଗ କରିଥିଲେ। ତେଣୁ ପୁଣିଥରେ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁନଃ ପ୍ରତିଷ୍ଠା ସହ କଲେଜ ପରିସରରୁ ବିଶ୍ୱବିଦ୍ୟାଳୟକୁ ହଟେଇ ପୁରୁଣା ବଜାରର ସୁଲେଇଖମାରକୁ ନେଇଯିବାକୁ ଦୃଢ଼ ଦାବି ରଖିଥିଲେ। ତେଣୁ ସେମାନେ ଏକ ବିକ୍ଷୋଭ ଶୋଭାଯାତ୍ରା କରି ରାଜରାସ୍ତାରେ ଆସି କେନ୍ଦୁଝର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ କରିଥିଲେ। ପିଲାମାନେ ରାସ୍ତାରେ ବସିରହିଥିଲେ ଏହାପରେ ସେମାନେ ଏକ ଦାବିପତ୍ର ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଲିକଙ୍କୁ ପ୍ରଦାନ କରିଥିଲେ।

ସେମାନଙ୍କ ଦାବିପତ୍ରଟି ଏହିପରି ଥିଲା କି : – ପ୍ରାପ୍ତେଷୁ;
ମାନ୍ଯବର ମୁଖ୍ଯମନ୍ତ୍ରୀ, ଓଡ଼ିଶା ।
(ଜିଲ୍ଲାପାଳ କେନ୍ଦୁଝରଙ୍କ ଜରିଆରେ)
ବିଷୟ: ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ବବିଦ୍ୟାଳୟ ଠାରୁ ପୃଥକ କରି ମହାବିଦ୍ୟାଳୟର ସ୍ବତନ୍ତ୍ର ସ୍ଥିତି ପୁନଃ ସଂସ୍ଥାପନ ସଂପର୍କରେ ।
୧- କେନ୍ଦୁଝର ଜିଲ୍ଲାର ଐତିହ୍ଯ, ଗୌରବ,ସାଂସ୍କୃତିକ ସ୍ବାଭିମାନ ଓ ଅସ୍ମିତାର ବାର୍ତ୍ତା ବହନକରି ୧୯୫୭ ମସିହାରେ କେନ୍ଦୁଝର ସାଇନ୍ସ କଲେଜ ନାମକ ଉଚ୍ଚ ଶିକ୍ଷାନୁଷ୍ଠାନଟି ୧୯୬୨ ମସିହାରେ ସରକାରୀ ମାନ୍ଯତା ଲାଭକରି ୧୯୮୩/୮୪ ଶିକ୍ଷାବର୍ଷରେ ଧରଣୀଧର ମହାବିଦ୍ୟାଳୟରେ ନାମିତ ହୋଇଥିଲା । ୧୯୯୯ ମସିହାରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଲଗା ହୋଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅନୁବନ୍ଧନ ଲାଭକଲା ଏବଂ ୨୦୦୪ ମସିହା ସେପ୍ଟେମ୍ବର ମାସ ସ୍ବୟଂଶାସିତ ମାନ୍ଯତା ପାଇ ନିରନ୍ତର ଉଚ୍ଚଶିକ୍ଷା ପ୍ରଦାନ କରି ସମଗ୍ର ଓଡ଼ିଶାରେ ତଥା ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଜିଲ୍ଲାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ତତ୍କାଳୀନ ଜିଲ୍ଲାପାଳ ଭେଙ୍କଟରମଣ,ଶିଳ୍ପପତି ସିରାଜୁଦ୍ଦିନ,ଜମିଦାନ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷ, ବୁଦ୍ଧିଜୀବି ଓ ସାଧାରଣ ଜନତାଙ୍କ ଭାବାବେଗ ଏହା ସହ ଜଡିତ।
୨- ୧୯୯୬ ମସିହାଠାରୁ କେନ୍ଦୁଝରରେ ଏକ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ସାଧାରଣ ଦାବୀ କରି ଆସୁଥିଲେ ।ସେହି ଅନୁସାରେ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ଯା ୬୦୩୮/ଏଚ୍ ଇ-ତା ୧୧/୦୨/୨୦୨୩ ବିଜ୍ଞପ୍ତିରେ ପୂର୍ବ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରିବା ଏକ ପ୍ରକାର ସ୍ବାଗତଯୋଗ୍ଯ ପଦକ୍ଷେପ । ମାତ୍ରପରବର୍ତ୍ତୀ ସମୟରେ ରାଜନୈତିକ ଅଭିସନ୍ଧି ରଖି ତତ୍କାଳୀନ ସରକାର ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ଯା ୩୫୩୮୪/ଏଚ୍ ଇ/ତା-୧୮/୦୮/୨୦୨୩ ମାଧ୍ଯମରେ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ଉନ୍ନୀତ କଲେ । ଯାହାଫଳରେ ସ୍ବୟଂଶାସିତ ଅନୁଷ୍ଠାନଟି ସଦ୍ଯ ଉନ୍ନୀତ ବିଶ୍ବବିଦ୍ୟାଳୟରେ ବିଲୀନ ହେଲା । ଏହାଥିଲା କେନ୍ଦୁଝର ଜନସାଧାରଣଙ୍କ ପ୍ରତି ବିଶ୍ବାସଘାତକତା । ପୃଥକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ପରିବର୍ତ୍ତେ ତତ୍କାଳୀନ ସରକାର ଏକମାତ୍ର ସ୍ବୟଂଶାସିତ ସରକାରୀ ଅନୁଷ୍ଠାନକୁ ବିଲୋପ କଲେ । ପରିତାପର ବିଷୟ ଏହିକି ଯେ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ଯତା ୨୦୨୭ ମସିହା ଯାଏ ବଳବତ୍ତର ଥିବା ସତ୍ତ୍ବେ ଏବଂ ନାକ୍ ମାନ୍ଯତା ପାଇଁ ଆବଶ୍ଯକ ଦେୟ ଦାଖଲ ହୋଇଥିବା ତଥ୍ଯକୁ ଅଣଦେଖା କରାଗଲା । ପୂର୍ବ ସରକାରଙ୍କ ଏତାଦୃଶ ଜନ ବିରୋଧି କାର୍ଯ୍ଯକୁ ତତ୍କାଳୀନ ବିରୋଧି ଦଳ ନେତା ତଥା ବର୍ତ୍ତମାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବିରୋଧ କରି ସ୍ବର ଉତ୍ତୋଳନ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦୁଝରର ସଚେତନ ନାଗରିକ ମଂଚ, ବୁଦ୍ଧିଜୀବି,ଛାତ୍ରଛାତ୍ରୀ, ବିଭିନ୍ନ ସାମାଜିକ ସଂଗଠନ ଓ ଜନ ସାଧାରଣ ଏ ନିଷ୍ପତ୍ତି ବିରୋଧରେ ବର୍ତ୍ତମାନ ସରକାରଙ୍କ ନିକଟରେ ବାରଂବାର ଦାବୀ ଉପସ୍ଥାପନ କରି ଆସୁଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକଙ୍କ ଦାବୀ ଓ ଭାବାବେଗକୁ ସମ୍ମାନ ଦେଇ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ପୃଥକ କରିବାକୁ ପ୍ରତିଶୃତି ଦେଇଛନ୍ତି ।
୩- ଧରଣୀଧର ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଠାରୁ ପୃଥକ କରି ପୂର୍ବ ପରି ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବା ସପକ୍ଷରେ ସେ ସମୟର ଉଚ୍ଚ ଶିକ୍ଷା ବିଭାଗ ସ୍ଟାଣ୍ଡିଙ୍ଗ୍ କମିଟି ସୁପାରିସ କରିଥିଲେ । ଯେଉଁ କମିଟିର ସଦସ୍ୟ ଥିଲେ ଘଷିପୁରାର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାୟକ।
୪- ସ୍ଟେଟ୍ ୟୁନିଭରସିଟି ଆକ୍ଟ ଅନୁସାରେ କୌଣସି ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ଉନ୍ନୀତ କରିବାର ବିଧିବଦ୍ଧ ନିୟମ ନାହିଁ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପଛରେ ଆଇନ ଓ ଅର୍ଥ ବିଭାଗ ଏବଂ ବିଧାନ ସଭାର ଅନୁମୋଦନ ନଥିଲା । ଏହାକୁ ଆଖି ଆଗରେ ରଖି
ଲୋକଙ୍କ ଦାବୀ ଓ ଆବେଗକୁ ସମ୍ମାନ ଜଣାଇ ଉଚ୍ଚ ଶିକ୍ଷା ବିଭାଗ ଗତ ଅପ୍ରେଲ ମାସ କେନ୍ଦୁଝରର ଶିକ୍ଷାବିତ,ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା ଓ ବିଶ୍ବବିଦ୍ୟାଳୟର କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟିଙ୍କ ସହିତ ଆଲୋଚନା କରିବା ସହ ପୃଥକୀକରଣ କାର୍ଯ୍ଯକୁ ତ୍ବରାନ୍ବିତ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ରେ ମଧ୍ଯ ଏ ସଂକ୍ରାନ୍ତରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତଦନୁସାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ସହିତ ଏକାଧିକ ଆଲୋଚନା କରିଛନ୍ତି।
ଜିଲ୍ଲାପାଳ ମଧ୍ଯ ଏ ଦିଗରେ ଆବଶ୍ଯକ ସାହାଯ୍ଯ ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି । ମାତ୍ର ବିଶ୍ବବିଦ୍ୟାଳୟର କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିଭିନ୍ନ ଆଳରେ ପୃଥକୀକରଣ କାର୍ଯ୍ଯରେ ବାଧା ସୃଷ୍ଟି କରୁଛନ୍ତି ।
୫- ପରବର୍ତ୍ତୀ ସମୟରେ ପୃଥକୀକରଣ ସଂପର୍କିତ ନଥି ବିଭିନ୍ନ ବିଭାଗର ଅନୁମୋଦନ ଲାଭ କରିସାରିଛି, ଯାହ ଏକ ସକାରାତ୍ମକ ପଦକ୍ଷେପ। ଏ ସବୁ ସତ୍ତ୍ବେ ଅନୁଷ୍ଠାନ ଦୁଇଟି ଅଲଗା ନହେବା ଘୋର ପରିତାପର ବିଷୟ । ଏଥିରୁ ଅନୁମେୟ ଯେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ କେନ୍ଦୁଝର ତଥା ଲୋକପ୍ରିୟ ମୁଖ୍ଯମନ୍ତ୍ରୀଙ୍କ ବ୍ଯକ୍ତିତ୍ବ ଓ ଛବିକୁ ମଳିନ କରିବାକୁ ହୀନ ଉଦ୍ୟମ ଚଳାଇଛନ୍ତି । ପରିସ୍ଥିତିର ଗୁରୁତ୍ବକୁ ଉପଲବ୍ଧି କରି ଏ ମାଟିର ସନ୍ତାନ ତଥା ମୁଖ୍ୟମନ୍ତ୍ରୀ ସୁଲେଇଖମାର ଠାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ମହାବିଦ୍ୟାଳୟର ସ୍ବତନ୍ତ୍ର ତଥା ଏକକ ଅସ୍ତିତ୍ବ ବଜାୟ ରଖିବେ ବୋଲି ଆମର ବିନମ୍ର ଆଶା ଓ ବିଶ୍ବାସ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପୃଥକ ଭାବେ କାର୍ଯ୍ଯ କରିବା ସପକ୍ଷରେ କେତୋଟି ବଳିଷ୍ଠ ମତ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ ।
(କ) ଦୀର୍ଘ ୬୯ ବର୍ଷର ଅନୁଷ୍ଠାନଟି ପୂର୍ବ ଅସ୍ତିତ୍ବ ଫେରିପାଇବା ଦ୍ବରା ଏକ ଐତିହ୍ଯ କ୍ଷେତ୍ର ଭାବେ ତାର ମର୍ଯ୍ଯାଦା ଅକ୍ଷୁର୍ଣ୍ଣ ରହିବା ସହ ଆରମ୍ଭରେ ମହାବିଦ୍ୟାଳୟ ପାଇଁ ଜମି ଓ ଅର୍ଥ ଦାନ କରିଥିବା ବଦାନ୍ଯ ବ୍ଯକ୍ତିମାନଙ୍କ ଉଦ୍ଦେଶ୍ଯରେ ଯଥାର୍ଥ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ହେବ ।
(ଖ)ଗରିବ,ମେଧାବୀ,ଅବହେଳିତ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ର ଛାତ୍ରୀମାନେ କମ୍ ଖର୍ଚ୍ଚରେ ସରକାରୀ ସୁବିଧାରେ ଉଚ୍ଚଶିକ୍ଷା ଲାଭ କରି ସ୍ବୟଂଶାସିତ ମହାବିଦ୍ୟାଳୟର ସୁବିଧା ପାଇ ପାରିବେ ।
(ଗ) ଆମ ଜିଲ୍ଲା ଦୁଇଟି ଅନୁଷ୍ଠାନ ପାଇବ । ଶିକ୍ଷା ଓ ଗବେଷଣାର ପ୍ରଗତି ତ୍ବରାନ୍ବିତ ହେବ । ଅଧିକ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ । ଅଧିକାର ଭିତ୍ତିଭୂମି ସହ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ଅଧିକ ଆର୍ଥିକ ଅନୁଦାନ ମିଳି ପାରିବ। ଅଧିକ କର୍ମଶାଳା,ଅଧିକ ପାଠଚକ୍ର,ଅଧିକ ଗବେଷଣା ଦ୍ବାରା ଶିକ୍ଷାର ମାନ ବୃଦ୍ଧିହେବ ।

(ଘ) ସୁଲେଇଖମାର ଠାରେ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଭାବେ କାର୍ଯ୍ଯକ୍ଷମ ହେଲେ ପୁରୁଣା କେନ୍ଦୁଝର ଆକର୍ଷଣର କେନ୍ଦ୍ର ହେବା ସହ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗ ଶିକ୍ଷା ବିକାଶକୁ ତ୍ବରାନ୍ବିତ କରିବ । ବିଶ୍ବବିଦ୍ୟାଳୟ ପାଇଁ ପର୍ଯ୍ଯାପ୍ତ ଜମି ଏଠାରେ ଉପଲବ୍ଧ। ପୂର୍ବ କୁଳ ସଚିବଙ୍କ ସମୟରେ କିଛି ଜମି ଚିହ୍ନଟ ହୋଇ ସାରିଛି । ଏଠାରେ ଥିବା ଭିତ୍ତିଭୂମିର ସଠିକ ବିନିଯୋଗ ହୋଇପାରିବ । ନଚେତ ଦୁଇ ଦୁଇଟି ପରିସର ମଧ୍ଯରେ ଦୂରତା ପ୍ରଶାସନିକ କାର୍ଯ୍ଯରେ ବାଧା ସୃଷ୍ଟି କରିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ସୁରକ୍ଷା ଓ ଯାତାୟତ ଜନିତ ସମସ୍ଯାର ସମ୍ମୁଖୀନ ହେବେ।

(ଙ) ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ପୃଥକ ହେଲେ ବି ବିଶ୍ବବିଦ୍ୟାଳୟ ଅଧିନରେ ଏକ ଅନୁବନ୍ଧିତ ଅନୁଷ୍ଠାନ ରୂପେ କାର୍ଯ୍ଯ କରିବ । ଏହାଦ୍ବାରା ବିଶ୍ବବିଦ୍ୟାଳୟର ମାନ ବୃଦ୍ଧି ହେବା ସହିତ ଜିଲ୍ଲାର ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପରିଚାଳନା ସୁଗମ ହୋଇ ପାରିବ । ବାଲେଶ୍ବର ଓ ବାରିପଦା ପରି ବ୍ଯବସ୍ଥା ଏଠାରେ ଗ୍ରହଣ କରିବାରେ କୌଣସି ନୀତିଗତ ଅସୁବିଧା ନାହିଁ।
(ଚ) ଜାତୀୟ ଶିକ୍ଷାନୀତି ଅନୁସାରେ ବିଶ୍ବବିଦ୍ୟାଳୟରେ ମଲ୍ଟି ଡିସିପ୍ଲିନାରୀ ପାଠ୍ଯକ୍ରମ, ଦକ୍ଷତା ବିକାଶ ପାଠ୍ଯକ୍ରମ, ପ୍ରାୟୋଗିକ ପାଠ୍ଯକ୍ରମ ଓ ବୈଷୟିକ ପାଠ୍ଯକ୍ରମ ଖୋଲାଯାଇ ଗବେଷଣାକୁ ଅଗ୍ରାଧିକାର ଦିଆଯିବ। ଏପରି ସ୍ଥଳେ ସ୍ବୟଂଶାସିତ ମହାବିଦ୍ୟାଳୟକୁ ପୃଥକ କରାଗଲେ ସ୍ନାତକ ଶିକ୍ଷାଦାନର ଅତିରିକ୍ତ ଭାର ବିଶ୍ବବିଦ୍ୟାଳୟ ଉପରେ ରହିବ ନାହିଁ ।
(ଛ)ଧରଣୀଧର ମହାବିଦ୍ୟାଳୟ ସ୍ବତନ୍ତ୍ର ହେଲେ ବିଶ୍ବବିଦ୍ୟାଳୟର ଚାପ ଓ ଅନଧିକାର ପ୍ରଭାବରୁ ମୁକ୍ତ ହୋଇ ସରକରୀ ନିୟନ୍ତ୍ରଣରେ ରହିବା ସହ ତାର ପୂର୍ବ ଗାରିମା ବଜାୟ ରଖି ପାରିବ। (ଜ) ଦୀର୍ଘ ତିନି ବର୍ଷ ହେବ ବିଶ୍ବବିଦ୍ୟାଳୟ କାର୍ଯ୍ଯ କରୁଥିଲେବି ଅନୁଦାନ ଆୟୋଗଙ୍କ ପାଖରୁ କୌଣସି ଆର୍ଥିକ ଅନୁଦାନ ପାଇନାହିଁ । ଉପରକୁ ମହାବିଦ୍ୟାଳୟର କମ୍ପ୍ଯୁଟର ସାଇନ୍ସ ଓ ସେଲ୍ଫ ଫାଇନାନ୍ସିଂ ପାଠ୍ଯକ୍ରମରୁ ଆଦାୟ ହୋଇଥିବା ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ବ ପୁଞ୍ଜିକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମନ ଇଛା ଖର୍ଚ୍ଚ କରିଛନ୍ତି । ଏପରିକି ଜିଲ୍ଲା ଖଣିଜ ପାଣ୍ଠିରୁ ଛାତ୍ରାବାସ ନିର୍ମାଣ ପାଇଁ ପାଇଥିବା ଅନୁଦାନକୁ ଏଯାଏ ବିନିଯୋଗ କରିନାହାଁନ୍ତି । ଏହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଉଦାସୀନତାର ପ୍ରମାଣ। ଯାହା ମହାବିଦ୍ୟାଳୟର ସୁନାମକୁ ମଳିନ କରିଛି । ମହାବିଦ୍ୟାଳୟର ମୁଖପତ୍ର ଭାବେ ଇତିହାସ ସୃଷ୍ଟି କରିଥିବା ପୂରବୀର ପ୍ରକାଶନ ମଧ୍ଯ ବନ୍ଦ କରି ଦିଆଯାଇଛି । ଯଦିଓ ପ୍ରତିବର୍ଷ ଏ ବାବଦକୁ ପ୍ରତି ପିଲାଙ୍କ ଠାରୁ ଦେୟ ଆଦାୟ କରାଯାଉଛି ।
(ଝ) ଏପରି ପରିସ୍ଥିତିରେ ମହାବିଦ୍ୟାଳୟର ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀ ଯେଉଁମାନେ ବିଶ୍ବବିଦ୍ୟାଳୟରେ ଶିକ୍ଷା ଦାନ କରୁଛନ୍ତି ସେମାନଙ୍କ ଭବିଷ୍ଯତ ଅନିଶ୍ଚିତ। କାରଣ ଶ୍ରୀରାମ ଚନ୍ଦ୍ର ଭଂଞଦେଓ ବିଶ୍ବବିଦ୍ୟାଳୟର ପାଞ୍ଚଜଣ ଅଧ୍ଯାପକ ଏଠାରେ ଯୋଗଦେବା ଫଳରେ ସରକାରୀ ମହାବିଦ୍ୟାଳୟର ଅଧ୍ଯାପକ
ମାନଙ୍କୁ ହେୟ ଜ୍ଞାନ କରି ଅଲଗା ଗୋଷ୍ଠୀ କରିବା ସହ ବିଶ୍ବବିଦ୍ୟାଳୟ ପ୍ରଶାସନକୁ ପ୍ରଭାବିତ କରୁଥିବାର ବାରଂବାର ଅଭିଯୋଗ ଶୁଣିବାକୁ ମିଳୁଛି । ଯାହା ଶୈକ୍ଷିକ ପରିବେଶକୁ କୁଳଷିତ କରୁଛି ।

(ଞ)ଇତି ମଧ୍ଯରେ ଗତ ସାତ ତାରିଖରେ ରାଜ୍ଯ ଅତିଥି ଭବନ ଠାରେ କେନ୍ଦୁଝରର ବରିଷ୍ଠ ନାଗରିକ, ପୂର୍ବତନ ବିଧାୟକ ଓ ଜନ ପ୍ରତିନିଧି ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି ଆଲୋଚନା କରିଥିଲେ ।କେନ୍ଦୁଝର ଜନ ସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
(ଟ) କେନ୍ଦୁଝର ଜନସାଧାରଣଙ୍କ ଏପରି ଏକ ସମ୍ବେଦନଶୀଳ ଦାବୀ ପୂରଣରେ ବିଳମ୍ବ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଏହା ଏକ ଆନ୍ଦୋଳନର ରୂପ ନେବା ଆଗରୁ ପୃଥକୀକରଣ କାର୍ଯ୍ଯ ସମାପନ ହେବ ବୋଲି ଆମର ଦୃଢ ଆଶା ଓ ବିଶ୍ବାସ।
(ଠ) କେନ୍ଦୁଝର ଜିଲ୍ଲାର ଅସ୍ମିତା ଓ ଐତିହ୍ଯର ପ୍ରତୀକ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ରହୁ ।
ବିଶ୍ବବିଦ୍ୟାଳୟ ବି ରହୁ । ଆମରଗୋଟିଏ ଥିଲା ଦୁଇଟି ହେଉ । ବାଲେଶ୍ବର ଓ ବାରିପଦା ପରି ବ୍ଯବସ୍ଥା ଏଠାରେ କରାଯାଉ । ଆମର ଲୋକପ୍ରିୟ ମୁଖ୍ଯମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ବ୍ଯକ୍ତିତ୍ବ ଅମଳିନ ଓ ଅକ୍ଷୁର୍ଣ୍ଣ ରହୁ।
।ଇତି।
ଆପଣଙ୍କର ବିଶ୍ବସ୍ତ
କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବୃନ୍ଦ।

ଏହି ଦାବି ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି। ଆଜିର ଆନ୍ଦୋଳନରେ ଛାତ୍ରଛାତ୍ରୀ ସାମିଲ ଥିବା ବେଳେ ଜିଲ୍ଲାର ବିଭିନ୍ନ ଗଣସଂଗଠନର କର୍ମକର୍ତ୍ତା ସେଠାରେ ଉପସ୍ଥିତ ରହିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଯଥାର୍ଥ ଦାବି ପୂରଣ କରିବାକୁ ସମସ୍ତେ ଦାବି କରିଛନ୍ତି।

Leave A Reply

Your email address will not be published.