ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡି:ପି:ଆଇ:ଆଇ:ଟି) ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ “ତେଜାସ” (ଟ୍ରାନ୍ସଫର୍ମ ଏଣ୍ଟରପ୍ରେନିୟୁରିଆଲ ଜର୍ଣିସ ଏକ୍ରସ ଷ୍ଟେଟ୍ ଏଣ୍ଡ ଡିଷ୍ଟ୍ରିକ୍ଟ) ତଥା ରାଜ୍ୟ ଏବଂ ଜିଲ୍ଲା ମଧ୍ୟରେ ଉଦ୍ୟୋଗୀ ଯାତ୍ରାକୁ ରୂପାନ୍ତରିତ କରିବା ସମ୍ପର୍କିତ ଏକ ଉଦ୍ୟୋଗୀ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଅନ୍ ୟୁନିଭରସିଟି (ସିୟୁଟିଏମ)ର ଅଡିଟୋରିୟମ୍ ହଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏବଂ ଡି:ପି:ଆଇ:ଆଇ:ଟି:ର ସି:ଇ:ଓ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେମାନେ କହିଥିଲେ ଯେ, ଉଦ୍ୟୋଗୀତା ହେଉଛି ଆତ୍ମନିର୍ଭର ଭାରତ ଗଠନର ମୂଳ ଆଧାର। ଗଜପତି ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଥିବା ନୂତନ ଚିନ୍ତାଧାରା ଓ ନବ-ପ୍ରବର୍ତ୍ତନକୁ ସଠିକ୍ ମାର୍ଗଦର୍ଶନ ମିଳିଲେ ସେମାନେ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ ହୋଇପାରିବେ।
ଏହି କାର୍ଯ୍ୟକ୍ରମ ମାଧ୍ଯମରେ ଜିଲ୍ଲାର ଯୁବ ଉଦ୍ୟୋଗୀ , ନବ-ପ୍ରବର୍ତ୍ତକ ଏବଂ ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହୀ ଯୁବକ-ଯୁବତୀ ମାନେ ଉଦ୍ୟୋଗୀତା ସମ୍ପର୍କିତ ସଚେତନତା , ମେଣ୍ଡରସିପ୍ , ଦକ୍ଷତା ବିକାଶ , ସରକାରୀ ସହାୟତା ଯୋଜନା ଓ ବଜାର ସହ ସଂଯୋଗ ସ୍ଥାପନର ସୁଯୋଗ ପାଇପାରିବେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କ୍ୟୁଆର୍ (କ୍ୟୁ:ଆର) କୋଡ୍ ସ୍କାନ୍ କରି ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ଉଦ୍ୟୋଗୀ ହେବାକୁ ଇଚ୍ଛୁକ ଯୁବକ-ଯୁବତୀ , ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଓ ନବ-ପ୍ରବର୍ତ୍ତକ ମାନଙ୍କୁ ଏହି ସୁଯୋଗର ସଦ୍ବ୍ୟବହାର କରିବାକୁ ଆୟୋଜକ ପକ୍ଷରୁ ଆହ୍ବାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ ଦାଶରଥ୍ ଗମାଙ୍ଗ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ , ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ପାରଳାଖେମୁଣ୍ଡି ପୌରାଧ୍ଯକ୍ଷା ନିର୍ମଳା ସେଠୀ , ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ , ସେଞ୍ଚୁରିଅନ୍ ୟୁନିଭର୍ସିଟିର କୁଳସଚିବ ପ୍ରଫେସର ଡଃ ଅନିତା ପାତ୍ର , ପ୍ରଶାସନିକ ନିର୍ଦ୍ଦେଶକ ପ୍ରଫେସର ଡଃ ଦୁର୍ଗା ପ୍ରସାଦ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗର ଅଧୂକାରୀ , ଶିକ୍ଷାବିତ , ସଫଳ ଉଦ୍ୟୋଗୀ , ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ୟୋଗୀତା ବିକାଶ , ନବ-ପ୍ରବର୍ତ୍ତନ , ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା ଏବଂ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ। ‘ତେଜାସ’ କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ ଉଦ୍ୟୋଗୀତାର ପ୍ରସାର , ନୂତନ ଷ୍ଟାର୍ଟଅପ୍ ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ ଭାବେ ଗଢ଼ି ତୋଳିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ।