ଘୁଷ ନେବାବେଳେ ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆରଟିଓ କାର୍ଯ୍ୟାଳୟର ଓଏମଭିଡି ଟ୍ରାଫିକ୍ ଇନ୍ସପେକ୍ଟର

9

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ସୁନ୍ଦରଗଡ଼ ଆରଟିଓ (RTO) କାର୍ଯ୍ୟାଳୟର ଓଏମଭିଡି (OMVD) ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ରଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଟିମ୍ ୨୦ ହଜାର ଟଙ୍କା ଘୁଷ ନେଉଥିବା ବେଳେ ରଙ୍ଗେହାତ ଗିରଫ କରିଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଜଣେ ଟ୍ରକ୍ ମାଲିକଙ୍କର ଦୁଇଟି ହାଇୱା (HYVA) ଟ୍ରକ୍‌କୁ ଗତ ଦୁଇ ମାସ (ଜୁନ୍ ଓ ଜୁଲାଇ ୨୦୨୬) ଧରି ତାଙ୍କ ଅଧୀନ ଅଞ୍ଚଳରେ କୌଣସି ବାଧା ବିନା ପରିବହନ ବ୍ୟବସାୟ ଚଳାଇବାକୁ ଦେବା ପାଇଁ ମାସିକ କୋଟା ଭାବେ ୨୦,୦୦୦ ଟଙ୍କା ଘୁଷ ଦାବି କରିଥିଲେ ଟ୍ରାଫିକ୍ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ର।
ଘୁଷ ଦେବାରେ ଅସମର୍ଥ ହେବା ପରେ ସମ୍ପୃକ୍ତ ଟ୍ରକ୍ ମାଲିକ ଓଡ଼ିଶା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଆଜି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଯୋଜନାବଦ୍ଧ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଘୁଷ ନେଉଥିବା ବେଳେ କାବୁ କରିଥିଲା।
ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ୨୦,୦୦୦ ଟଙ୍କା ଘୁଷ ଅର୍ଥ ଜବତ କରାଯାଇଛି।
ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ସମ୍ପର୍କିତ ତଦନ୍ତର ଅଂଶ ଭାବେ ମୁକେଶ କୁମାର ମିଶ୍ରଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା କେସ୍ ନଂ–୦୬, ତାରିଖ ୦୨.୦୮.୨୦୨୬ ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.