ଚନ୍ଦନ ଗଛ କାଟିଲେ ଦୁର୍ବୃତ୍ତ,ନେଇପାରିଲେନି

39

ସେବା କେନ୍ଦ୍ର ପରିସରରୁ କଟା ଗଛ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର


ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାୟ ଦେଢ଼ ଫୁଟ ଗୋଲେଇର ଚନ୍ଦନ ଗଛକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପ୍ରାୟ ୯୭ ପ୍ରତିଶତ କାଟି ଦେଇଥିଲେ। ତେବେ ଗଛଟିକୁ ନେଇଯିବାରେ ସେମାନେ ସଫଳ ହୋଇନଥିଲେ। ରବିବାର ସକାଳେ ଘଟଣା ଜଣାପଡ଼ିବା ପରେ ସେବା କେନ୍ଦ୍ର ପକ୍ଷରୁ ଆଦର୍ଶ ପଟ୍ଟନାୟକ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ସମୟରେ ସାମାନ୍ୟ ପବନରେ କଟା ଚନ୍ଦନ ଗଛଟି ଭୂମିରେ ଲୋଟି ପଡ଼ିଥିଲା। ପରେ ବନ ବିଭାଗକୁ ସୂଚନା ଦିଆଯାଇଥିଲା। ଖବର ପାଇ ବନପାଳ ସରିତା ବରାଳ ଘଟଣାସ୍ଥଳରେ ପହଞ୍ଚି କଟା ଚନ୍ଦନ ଗଛଟିକୁ ବନାଞ୍ଚଳ କାର୍ଯ୍ୟାଳୟକୁ ନେବାର ବ୍ୟବସ୍ଥା କରିଥିଲେ। ଦୁର୍ବୃତ୍ତମାନେ ଅତ୍ୟନ୍ତ ସତର୍କତାର ସହ ଗଛଟିକୁ କାଟିଥିବାରୁ ରାତିରେ ଘଟଣାର ସୁରାକ ମିଳିନଥିଲା। ଗଛଟି ନ ପଡ଼ିଥିଲେ ଦୁର୍ବୃତ୍ତମାନେ ପରବର୍ତ୍ତୀ ରାତିରେ ଏହାକୁ ସମ୍ପୂର୍ଣ୍ଣ କାଟି ନେଇଯିବାର ଯୋଜନାରେ ଥିବା ସନ୍ଦେହ କରାଯାଉଛି। ତେବେ ବନ ବିଭାଗ ଓ ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ।

Leave A Reply

Your email address will not be published.