ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି
ରାଜ୍ୟ ସରକାର: ବିଜେଡି

17
  • ମହାନଦୀ ଜଳ ବିବାଦର ସମାଧାନ କରିବାରେ ବିଜେପି ବିଫଳ
  • ଓଡ଼ିଶାରେ ଉପୁଜିଥିବା ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ମନୁଷ୍ୟକୃତ
  • ଟ୍ରିପଲ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦ ସମାଧାନରେ ବିଳମ୍ବ
  • ସମନ୍ୱୟ ଅଭାବରୁ ଓଡ଼ିଶାବାସୀ ଉପେକ୍ଷିତ ହେଉଛନ୍ତି
  • ବୈଠକରେ ହୋଇଥିବା ଆଲୋଚନାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର


ଭୁବନେଶ୍ୱର, ୦୧/୦୮/୨୦୨୬:
ବିଜେପି ସରକାରର ଅପାରଗତା ଯୋଗୁଁ ମହାନଦୀ ଜଳ ବିବାଦର ସମାଧାନ ହେବାରେ ବିଳମ୍ବ ହେଉଛି । ଟ୍ରିପଲ୍ ଇଞ୍ଜିନ ସରକାର ଥାଇ ବି ସମନ୍ୱୟ ଅଭାବରୁ ଓଡ଼ିଶାବାସୀ ଉପେକ୍ଷିତ ହେଉଛନ୍ତି । ଆଜି ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ । ଦିଲ୍ଲୀରେ ମହାନଦୀ ଜଳ ବିବାଦ ନେଇ ବୈଠକରେ ହୋଇଥିବା ଆଲୋଚନାକୁ ଜାଣିଶୁଣି ସାର୍ବଜନୀନ ନ କରି ଓଡ଼ିଶାବାସୀଙ୍କୁ ମିଛ ଆଶ୍ୱାସନା ଦେଇ ଭୁଅାଁ ବୁଲାଉଥିବାରୁ ରାଜ୍ୟ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସୀପାତ୍ର ମହାନଦୀ ଜଳ ବିବାଦ ସମାଧାନରେ ବିଜେପି ସରକାରର ଅପାରଗପଣିଆକୁ କଡ଼ା ନିନ୍ଦା କରିଛନ୍ତି । ଓଡ଼ିଶାରେ ଯେଉଁ ବନ୍ୟା ବିତ୍ପାତ ଦେଖାଦେଇଛି ତାହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଓଡ଼ିଶାର କୌଣସି କଥାକୁ ଛତିଶଗଡ଼ ସରକାର ତିଳେ ମାତ୍ର ଭୃକ୍ଷେପ କରୁନାହିଁ । ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି ଓଡ଼ିଶା ସରକାର । ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ କେନ୍ଦ୍ର ସରକାର, ଓଡିଶା ସରକାର ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ତେବେ ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ପୂର୍ବରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିଥିଲେ । କିନ୍ତୁ କେଉଁ ଆଧାରରେ ଦିଲ୍ଲୀରେ ଆଲୋଚନା ହେଲା, ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ । ବୈଠକରେ ମୁଖ୍ୟମନ୍ତ୍ରୀ କ’ଣ ଆଲୋଚନା କରିଲେ ତାହାକୁ ସାର୍ବଜନୀନ କରିଲେ ନାହିଁ । ମହାନଦୀର ଜଳ ପରିଚାଳନ ନେଇ ଓଡ଼ିଶାକୁ ଛତିଶଗଡ ସହଯୋଗ କରୁନାହିଁ । ବାରମ୍ବାର ଜଣାଇବା ସତ୍ତ୍ୱେ ସରଡ଼ିହି ବ୍ୟାରେଜ ପାଖରେ ଏକ ନୂତନ ଗେଜ୍ ପ୍ରତିଷ୍ଠା ପାଇଁ ଛତିଶଗଡ଼ ମାନୁନାହିଁ । ଓଡ଼ିଶା ସରକାରଙ୍କ କଥାକୁ ଛତିଶଗଡ ବେଖାତିର କରିଚାଲିଛି । ପୁରୁଣା ଗେଜ ସଠିକ୍ ଭାବରେ କାର୍ଯ୍ୟ କରୁନଥିବାରୁ ଜଳ ପରିଚାଳନାରେ ସମସ୍ୟା ହେଉଛି । ଏନ୍. ଖୋସଲାଙ୍କ ରିପୋର୍ଟ ପରେ ଛତିଶଗଡ ସରକାର ଏହାକୁ ଉଲ୍ଲଙ୍ଘନ କରି ଜଳ ବିବାଦ ସୃଷ୍ଟି କରୁଛନ୍ତି । ଛତିଶଗଡ ସରକାରଙ୍କ ମନମାନି ଯୋଗୁଁ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ପାଇଁ ରୁଲକର୍ଭ ନୀତିର ଅନୁପାଳନ ହୋଇପାରୁ ନାହିଁ । ଛତିଶଗଡର ପଛୁଆ ପାଣି ହୀରାକୁଦକୁ ବିପଦ ସୃଷ୍ଟି କରିବା ସହ ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ ହେଉଛି । ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚୁପ୍ ନରହି ଲଢ଼େଇ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ନେଇ ଦିଲ୍ଲୀରେ ରାଜ୍ୟ ସରକାର କ’ଣ ଆଲୋଚନା କରିଲେ ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ।
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା । ମହାନଦୀ ଉପରେ ଓଡ଼ିଶାର ୧୬ଟି ଜିଲ୍ଲା ନିର୍ଭରଶୀଳ । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିଥିବା ବିଜେପି ଓଡ଼ିଆ ଅସ୍ମିତାର ପ୍ରତୀକ ମହାନଦୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । କେନ୍ଦ୍ର ସମେତ ଛତିଶଗଡ ଏବଂ ଓଡ଼ିଶାରେ ବିଜେପି ସରକାର ରହିଛି । ତେବେ ଟ୍ରିପଲ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁ ନାହିଁ । ରାଜ୍ୟ ସରକାର ନିଜକୁ ଛତିଶଗଡ ପାଖରେ ଆତ୍ମସମର୍ପଣ କରିଛନ୍ତି । ଖରାଦିନେ ମହାନଦୀ ଶୁଖିଲା ପଡ଼ିଥିବା ବେଳେ ରାଜ୍ୟ ସରକାର ଆଲୋଚନା କରିଲେ ନାହିଁ । ବର୍ଷା ସମୟରେ ଆଲୋଚନା କରିଲେ କାହିଁକି? ଖରାଦିନେ ମହାନଦୀର ଜଳ ସଙ୍କଟକୁ ଓଡ଼ିଶାବାସୀଙ୍କ ମନରୁ ଭୁଲାଇ ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଛତିଶଗଡ ପାଖରେ ୨୪ ଲକ୍ଷ ମିଲିୟନ ଏକର ଫୁଟ ପାଣି ଥିବାବେଳେ ୧୦ ଲକ୍ଷ ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିବା ପାଇଁ ତତ୍କାଳୀନ ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଛତିଶଗଡ ମହାନଦୀ ଜଳର ୨୭ ଲକ୍ଷ ମିଲିୟନ ଏକର ଫୁଟ ଜଳ ଆବଶ୍ୟକ କରୁଥିବାରୁ ଜଳ ବିବାଦ ମୁଣ୍ଡ ଟେକିଥିଲା । ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ପରିଚାଳନା ଓ କୃଷି କାର୍ଯ୍ୟ ପାଇଁ ଓଡିଶାକୁ ୧.୭୪ ମିଲିୟନ ଏକର ଫୁଟ ପାଣିର ଆବଶ୍ୟକତା ଥିବାବେଳେ ଛତିଶଗଡ ନିଜର ମନମାନି କରି ତାହା ଦେଉନାହିଁ । ଖରାଦିନେ କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ ରଖୁଛି ଛତିଶଗଡ଼, ଯାହା ଫଳରେ ଓଡ଼ିଶା ପଟ ଶୁଖିଲା ପଡୁଛି । ଫଳରେ ରବି ଋତୁ ଚାଷରେ ବାଧା ସୃଷ୍ଟି ହେଉଛି । ବର୍ଷ ତମାମ ପାଣି ଅଟକାଇ ରଖୁଥିବା ବେଳେ ବନ୍ୟା ସମୟରେ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ଖୋଲି ଦେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜଳ ବିବାଦର ସମାଧାନ ନେଇ ରାଜ୍ୟ ସରକାର ଦିଲ୍ଲୀରେ ଆଲୋଚନା କରିଥିବା ବେଳେ ଏହାକୁ ସାର୍ବଜନୀନ କରିବା ପାଇଁ ଡରୁଛନ୍ତି କାହିଁକି ? ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡ଼ି ପକ୍ଷରୁ ଲଢ଼େଇ ଜାରି ରହିବ । ମହାନଦୀ ଜଳ ବିବାଦ ନେଇ ହୋଇଥିବା ବୈଠକରେ କ’ଣ ଆଲୋଚନା ହେଲା ତାହାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମହାନଦୀ ଜଳ ବିବାଦକୁ ନେଇ ବିଜେପି ଦଳ ଓଡ଼ିଶାରେ ବିରୋଧୀ ଦଳରେ ଥିବାବେଳେ ତକ୍ରାଳୀନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ । ଏବେ ସରକାରକୁ ଆସିବା ପରେ ତାହାକୁ ଭୁଲି ଯାଇଛନ୍ତି । ଟ୍ରିପଲ୍ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦର ସମାଧାନ ହୋଇନପାରିବା ଅତ୍ୟନ୍ତ ଲଜ୍ଜାଜନକ । ସରକାରକୁ ଆସିବା ପରେ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ଓଡ଼ିଶାବାସୀଙ୍କୁ ମିଛ କହି ଭୁଅାଁ ବୁଲାଉଛନ୍ତି । ଜଳ ବିବାଦର ସମାଧାନ ନ ହେବା ଫଳରେ ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ବିଜେପି ସରକାର ପାଇଁ ହୋଇଛି । ବନ୍ୟାରେ ଓଡ଼ିଶା ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯାଇ ଆଲୋଚନା କରୁଛନ୍ତି । ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠନ ହୋଇଛି । ଉକ୍ତ ଟ୍ରିବୁ୍ୟନାଲ ୬ ଦିନ ଧରି ଓଡ଼ିଶା ବୁଲିକି ଗଲେ । ଏନେଇ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଲେ ରାଜ୍ୟ ସରକାର, କିନ୍ତୁ ଫଳ ଶୂନ୍ୟ । ଓଡ଼ିଶାକୁ ନ ଜଣାଇ ଛତିଶଗଡ କଲମା ବ୍ୟାରେଜ ଗେଟ୍ ଖୋଲିବାରୁ ଓଡ଼ିଶାରେ ବନ୍ୟା ବିତ୍ପାତ ହେଲା । ଏଥିପାଇଁ ବିଜେପି ସରକାର ହିଁ ସମ୍ପୂର୍ଣ୍ଣ ଭାବେ ଦାୟୀ । ଗତ ଜୁନ ୨୦୨୪ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସତ୍ୟବାଦୀ ଗସ୍ତରେ ଆସି ୩ ମାସରେ ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଦଳୀୟ ସ୍ୱାର୍ଥକୁ ଛାଡି ଓଡ଼ିଶାର ସ୍ୱାର୍ଥ ପାଇଁ ନିଜକୁ ସମର୍ପଣ କରନ୍ତୁ । ଅନ୍ୟ ମାନଙ୍କୁ ଖୁସି କରାଇବାକୁ ଛତିଶଗଡ ପାଖରେ ଓଡ଼ିଶାକୁ ବିକି ନ ଦିଅନ୍ତୁ । ଛତିଶଗଡ ସରକାରର ମନମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶା ଉପେକ୍ଷିତ ହେଉଛି । ରାଜ୍ୟ ସରକାର ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ବୈଠକରେ କ’ଣ ଆଲୋଚନା ହୋଇଛି ତାହାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ।

Leave A Reply

Your email address will not be published.