ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଉନ୍ମୋଚିତ

13

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର , ଅବସର ପ୍ରାପ୍ତ ତହସିଲଦାର୍ , ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ , ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି , ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ ହୋଇଥିଲା।
ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ , ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ। ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ , ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ।
ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

Leave A Reply

Your email address will not be published.