ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ଅବସରରେ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଆଇଏସଆରଡି (ISRD) ପକ୍ଷରୁ ଆଜି ୩୦ ଜୁଲାଇ ୨୦୨୬ ଗୁରୁବାର ଦିନ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ଶିକ୍ଷକ, ଅଙ୍ଗନୱାଡି,ଆଶା ୱାର୍କର୍ସ , ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଯୋଗଦେଇ ମାନବ ଚାଲାଣ ବିରୋଧରେ ସଚେତନତାର ବାର୍ତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଯୋଗଦେଇ ମାନବ ଚାଲାଣ ଭଳି ସାମାଜିକ ଅପରାଧକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ମାନବ ଚାଲାଣ ରୋକିବା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ବ୍ୟକ୍ତି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଜନପ୍ରତିନିଧିଙ୍କ ସକ୍ରିୟ ସହଯୋଗ ଏଥିପାଇଁ ଅତ୍ୟନ୍ତ ଆବଶ୍ୟକ। ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ହେଲେ ଏହି ସାମାଜିକ ବ୍ୟାଧିକୁ ଅନେକାଂଶରେ ରୋକାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ ଏହି ଅବସରରେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ମେଡିକାଲ ଅଧୀକ୍ଷକ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଆଇଏସଆରଡିର ନିର୍ଦ୍ଦେଶକ ସୁଧୀର କୁମାର ସାବତ, ଏସ୍ଡିପିଓ ଡ଼. ଦୀପକ କୁମାର ମିଶ୍ର, ଭଞ୍ଜନଗର ସିଡିପିଓ ମିଳିମା କୁମାରୀ ପଣ୍ଡା ଏବଂ ପିସିଆଇ ଜିଲ୍ଲା ସଂଯୋଜକ ମନୋରମା ମଲ୍ଲିକ ପ୍ରମୁଖ ମାନବ ଚାଲାଣର କାରଣ, ଏହାର କୁପ୍ରଭାବ, ସରକାରଙ୍କ ପ୍ରତିରୋଧମୂଳକ ପଦକ୍ଷେପ ଏବଂ ସାମାଜିକ ସଚେତନତାର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଶେଷକରି ମହିଳା ଓ ଶିଶୁଙ୍କ ସୁରକ୍ଷା, ସନ୍ଦିଗ୍ଧ ଘଟଣାର ତୁରନ୍ତ ସୂଚନା ପ୍ରଦାନ ଏବଂ ସଚେତନ ସମାଜ ଗଠନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ଭଞ୍ଜନଗର ଆଇଏସଆରଡିର କେନ୍ଦ୍ରୀୟ ପ୍ରଶାସିକା ମନିଷା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।