ଶିଳ୍ପ , ସ୍ୱାସ୍ଥ୍ୟ ଓ ନଗର ବିକାଶ ମଡେଲର ସମୀକ୍ଷା କରିବା ସହ ଚେନ୍ନାଇରେ ରହୁଥିବା ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ , କର୍ମଚାରୀ ଓ ଶ୍ରମିକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ବିଧାନସଭାର ସ୍ବାସ୍ଥ୍ୟ ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟମାନେ ୨୦୨୬–୨୭ କାର୍ଯ୍ୟବର୍ଷର ଅଧ୍ୟୟନ ଗସ୍ତ ଅବସରରେ ଚେନ୍ନାଇ ଗସ୍ତ କରି ବିଭିନ୍ନ ସରକାରୀ ସଂସ୍ଥା , ଶିଳ୍ପ ପ୍ରତିଷ୍ଠାନ ଓ ବିକାଶମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ଥିଲା ତାମିଲନାଡୁର ସଫଳ , ସ୍ୱାସ୍ଥ୍ୟସେବା , ଶିଳ୍ପାୟନର ବିକାଶ ଓ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ସଂଗ୍ରହ କରିବା।
ଚେନ୍ନାଇରେ ପହଞ୍ଚିବା ପରେ କମିଟି ସଦସ୍ୟମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ତାମିଲନାଡୁ ବିଧାନସଭାର ବାଚସ୍ପତି ଜେ. ସି. ଡି. ପ୍ରଭାକର। ଏହାପରେ ପ୍ରତିନିଧି ଦଳ ତାମିଲନାଡୁର ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ବିକାଶମୂଳକ କାର୍ଯ୍ୟକ୍ରମ , ପ୍ରଶାସନିକ ବ୍ୟବସ୍ଥା ଓ ଜନସେବାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ।
ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ , ବିଧାୟକ ସତ୍ୟଜିତ ଗମାଙ୍ଗ, ପ୍ରଶାନ୍ତ ବେହେରା , ଉମାଚରଣ ମଲ୍ଲିକ ଏବଂ ସୁଜାତା ସାହୁ ପ୍ରମୁଖ ଏହି ଅଧ୍ୟୟନ ଗସ୍ତରେ ସାମିଲ ହୋଇଥିଲେ।
ଗସ୍ତ ସମୟରେ କମିଟି ସଦସ୍ୟମାନେ ବିଭିନ୍ନ ସରକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା , ପରିଚାଳନା ବ୍ୟବସ୍ଥା ଓ ଜନସାଧାରଣଙ୍କୁ ମିଳୁଥିବା ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଓଡ଼ିଶାରେ ଏଭଳି ସଫଳ ବିକାଶ ମଡେଲ କିପରି କାର୍ଯ୍ୟକାରୀ କରାଯାଇପାରିବ, ସେ ନେଇ ମଧ୍ୟ ମତବିନିମୟ ହୋଇଥିଲା। ଗସ୍ତର ଶେଷ ଦିନରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଚେନ୍ନାଇରେ ଅଧ୍ୟୟନ ଓ କାର୍ଯ୍ୟରତ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ ଏବଂ ଶ୍ରମିକମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁବିଧା–ଅସୁବିଧା , ଶିକ୍ଷା , ରୋଜଗାର ଓ ବାସସ୍ଥାନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେମାନଙ୍କ ସମସ୍ୟା ସମାଧାନ ପାଇଁ ସମ୍ଭବପର ସହଯୋଗ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
ଚେନ୍ନାଇର ଓଡ଼ିଶା ଭବନରେ ରାତ୍ରିଯାପନ ପରେ ଦଳ ପରବର୍ତ୍ତୀ ପର୍ଯ୍ୟାୟର ଅଧ୍ୟୟନ ଗସ୍ତ ଆରମ୍ଭ କରିବ। ଚେନ୍ନାଇ ଗସ୍ତ ପରେ ପ୍ରତିନିଧି ଦଳ ଆସନ୍ତାକାଲି ତେଲେଙ୍ଗାନା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି। କମିଟି ସଦସ୍ୟମାନଙ୍କ ମତରେ , ଏହି ଅଧ୍ୟୟନ ଗସ୍ତରୁ ମିଳିଥିବା ଅନୁଭୂତି ଓଡ଼ିଶାର ବିକାଶ ଯୋଜନାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ଏବଂ ଏହାର ଆଧାରରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ସୁପାରିଶ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ।