ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ଓ ଆସୋସିଏସନ୍ ଫର୍ ରୁରାଲ୍ ଅପଲିଫ୍ଟମେଣ୍ଟ ଆଣ୍ଡ ନ୍ୟାସନାଲ୍ ଏଲିଜିଏନ୍ସ ( ଅରୁଣା), ବ୍ରହ୍ମପୁରର ସହଯୋଗରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୨ ରେ “ଶିଶୁ ସୁରକ୍ଷା କର୍ମୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା ଉପରେ କ୍ଷମତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ଆୟୋଜନ କରାଯାଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସି.ଆର.ଏସ ଭୁବନେଶ୍ବରର ପ୍ରତିନିଧି ଶ୍ରୀ ମନୋରଂଜନ ଦାସ , ଶିଶୁ କଲ୍ୟାଣ ସମିତି , ଗଜପତିର ଅଧ୍ୟକ୍ଷ ଶ୍ରୀ ଅମିୟ ତ୍ରିପାଠୀ , ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ( ଜେ ଜେ ବି)ର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକକର୍ମୀ ଶ୍ରୀ ପ୍ରାଣବନ୍ଧୁ ନାୟକ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।
ଏଥିସହ ଆଜିର କାର୍ଯ୍ୟକ୍ରମରେ ୱାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତା , ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ପେଶାଲାଇଜ୍ଡ ଆଡପ୍ସନ ଏଜେନ୍ସି (ଏସ୍ ଏ ଏ )ର , ଇନ୍-ଚାର୍ଜ ଓ ମ୍ୟାନେଜର , ଚାଇଲ୍ଡ ହେଲ୍ପଲାଇନ୍ର କର୍ମକର୍ତ୍ତା , ଶକ୍ତି ସଦନର ସୁପରିଟେଣ୍ଡେଣ୍ଣ୍ଟ , ବିଜୟିନୀ ୱିମେନ୍ ସପୋର୍ଟ ସେଣ୍ଟରର ସମ୍ପାଦିକା ଏବଂ ପାରଳାଖେମୁଣ୍ଡି ମଡେଲ୍ ଥାନା ସମେତ ରାୟଗଡ଼ା , ଗୁମ୍ମା , ଗୁରାଣ୍ଡି ଓ କାଶୀନଗର ଥାନାର ଶିଶୁ କଲ୍ୟାଣ ଅଧିକାରୀଣୀ ମାନେ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପରେ କିପରିଭାବେ ସଙ୍କଟାପନ୍ନ ଶିଶୁ ଓ ମହିଳାମାନଙ୍କୁ ଉଦ୍ଧାରକରିବା ଓ ପରବର୍ତ୍ତୀ ସମୟରେ ସେମାନଙ୍କର ମାନସିକ ସୁସ୍ଥତା , ଭାବନାତ୍ମକ ସହାୟତା ଓ ସାମାଜିକ ପୁନର୍ବାସନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଏପରି ପ୍ରଶିକ୍ଷଣର ଗୁରୁତ୍ୱ ଅପରିସୀମବୋଲି ଜଣାଇଥିଲେ। ନିକଟ ଅତୀତରେ ଜିଲ୍ଲାରେ ଘଟିଥିବା ଶିଶୁ ଚାଲଣ ଓ ତାକୁ ଜିଲ୍ଲା ପ୍ରଶାସନ କିଭଳି ରୂପେ ପଦକ୍ଷେପ ନେଇଥିଲେ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ପରେ ସାଧନ ବ୍ୟକ୍ତି ଭାବେଶ୍ରୀ ପ୍ରତ୍ୟୁଷ କୁମାର ପଣ୍ଡା ମାନସିକ ସ୍ୱାସ୍ଥ୍ୟ , ମନୋସାମାଜିକ ସହାୟତା , ମାନସିକ ଆଘାତର ପ୍ରଭାବ , ମାନସିକ ପ୍ରାଥମିକ ଚିକିତ୍ସା , ସଙ୍କଟାପନ୍ନ ଶିଶୁ ଓ ମହିଳାଙ୍କ ସହ ସମ୍ବେଦନଶୀଳ ବ୍ୟବହାର , କାଉନସେଲିଂ ପ୍ରକ୍ରିୟା ଏବଂ ବିଭିନ୍ନ ସେବା ପ୍ରଦାନକାରୀ ବିଭାଗ ମଧ୍ୟରେ ସମନ୍ୱୟର ଗୁରୁତ୍ୱ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କର ଭୂମିକା , ଦାୟିତ୍ୱ ଏବଂ ସଙ୍କଟଗ୍ରସ୍ତ ଶିଶୁମାନଙ୍କର ମାନସିକ ସୁସ୍ଥତା ନିଶ୍ଚିତ କରିବାରେ ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ପ୍ରଶିକ୍ଷଣ ସମୟରେ ମାନସିକ ଚାପ , ଭୟ , ଅବସାଦ ଏବଂ ଆଘାତର ଶିକାର ହୋଇଥିବା ଶିଶୁ ଓ ମହିଳାମାନଙ୍କୁ କିପରି ଉପଯୁକ୍ତ ସହାୟତା ପ୍ରଦାନ କରାଯିବ , ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ ଏବଂ ସେମାନଙ୍କର ସଫଳ ପୁନର୍ବାସନ ସୁନିଶ୍ଚିତ କରାଯିବ ସେ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କ ସହ ବିସ୍ତୃତ ଆଲୋଚନା ଓ ମତ ବିନିମୟ କରାଯାଇଥିଲା।
ଜିଲ୍ଲା ଚିକିତ୍ସାର ମନୋଚିକିତ୍ସା ସାମାଜିକ କର୍ମୀ ଜିଲ୍ଲାର ଏ ସ୍ତରରେ କିଭଳି କାର୍ଯ୍ୟରତ ଓ ଏ ସଂକ୍ରାନ୍ତରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ନିୟମ ଓ ଅଧିନିୟମ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସି.ଆର୍.ଏସ୍ ର ଶ୍ରୀ ଦାସ ସମାପନ ଭାଷଣ ରେ ଆଜିର କାର୍ଯ୍ୟକ୍ରମ ବିଷୟକୁ ନେଇ ପରସ୍ପରରେ ସହଯୋଗରେ ଏକ ଚିଠା ପ୍ରସ୍ତୁତ ଏବଂ କେଉଁ ଯାଗାରେ କେଉଁ ପ୍ରକାର ମନସ୍ଥିତିରେ ଶିଶୁମାନଙ୍କୁ ତଥା ନିଜର ମାନସିକ ସ୍ଥିତି କୁ ସମାନତା ବଜାୟ ରଖିବା ଉପରେ ଆଲୋକପାତ କରିଥିଲେ।
ଶେଷରେ ଅରୁଣା , ବ୍ରହ୍ମପୁରର ଜିଲ୍ଲାସଂଯୋଜକ ଶ୍ରୀ ସାଇ ପ୍ରସାଦ ସାମଲ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି , ସାଧନ ବ୍ୟକ୍ତି , ଅଂଶଗ୍ରହଣକାରୀ ଏବଂ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତିର କର୍ମକର୍ତ୍ତାମାନେ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.