ବାଲିକୁଦା : ବାଲିକୁଦା ଥାନା ଅନ୍ତର୍ଗତ ବ୍ରାହ୍ମଣ୍ଡି ଗ୍ରାମରେ ଚଢଉ କରି ୧ କେଜି ୦୪୫ ଗ୍ରାମ ଗଞ୍ଜେଇ ଜବତ କରିଛି ବାଲିକୁଦା ଅବକାରୀ ଥାନା ଯାହାର ଆନୁମାନିକ ମୂଲ୍ଯ ୧୦୪୫୦/- ଟଙ୍କା ହେବ। ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ବାଲିକୁଦା ଅବକାରୀ ଥାନାର ସବ୍ଇନ୍ସପେକ୍ଟର ନରେଶ କୁମାର ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ ବୁଧବାର ସକାଳେ ବ୍ରାହ୍ମଣ୍ଡି ଗ୍ରାମରେ ଚଢଉ କରିଥିଲା। ସନ୍ଦିଗ୍ଧ ଜଣକ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବ୍ୟାଗକୁ ନେଇ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ ପିଛା କରିବା ପରେ ସେହି ଗ୍ରାମର ତ୍ରିନାଥ ମନ୍ଦିର ସମ୍ମୁଖ ରୁ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୧କେଜି ୦୪୫ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ଜଣକ ହେଲେ ବ୍ରାହ୍ମଣ୍ଡି ଗ୍ରାମର ମଧୁସୂଦନ କାଣ୍ଡିଙ୍କ ପୁଅ ପ୍ରଶାନ୍ତ କାଣ୍ଡି(୪୮)। ତାଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଯାଇଛି। ଏହି ଅଭିଯାନରେ ତିର୍ତ୍ତୋଲ ଅବକାରୀ ଥାନାର କନଷ୍ଟେବଳ ନବଘନ ମାରଣ୍ଡି, କଲ୍ୟାଣୀ ସେଠୀ, ପ୍ରତିମା ଜେନା ପ୍ରମୁଖ ସାମିଲ ଥିଲେ।
ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ ଥିବାର ପ୍ରକାଶ କରିଛନ୍ତି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ।