ମୃତ୍ୟୁକୁ ଡାକୁଛି ପାଟଣାଗଡ଼–ଧୂମାଭଟା ବାଇପାସ!
ପାଟଣାଗଡ଼/ବଲାଙ୍ଗିର,:-ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼–ଧୂମାଭଟା ମୁଖ୍ୟ ରାସ୍ତାରେ ଚାଲିଥିବା ବ୍ରିଜ ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତାୟାତ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ଏକ ବାଇପାସ ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ଲଗାଣ ବର୍ଷା ପରେ ଏହି ବାଇପାସ ଏବେ ସାଧାରଣ ଲୋକଙ୍କ ପାଇଁ ମୃତ୍ୟୁ ଫାଶ ପାଲଟିଥିବା ଅଭିଯୋଗ ହୋଇଛି। ବ୍ରିଜ ନିର୍ମାଣ ପାଇଁ ଖୋଳାଯାଇଥିବା ବିରାଟ ଗଭୀର ଖାଲ ଲଗାଣ ବର୍ଷାରେ ମାଟି ଧସିବା ଯୋଗୁଁ ଆହୁରି ବିସ୍ତୃତ ଓ ବିପଜ୍ଜନକ ହୋଇପଡ଼ିଛି। ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ, ଏତେ ବଡ଼ ବିପଦ ଥିଲେ ମଧ୍ୟ ସେଠାରେ କୌଣସି ସୁରକ୍ଷା ବ୍ୟାରିକେଡ୍, ସତର୍କ ସୂଚନା ଫଳକ କିମ୍ବା ରାତ୍ରିକାଳୀନ ସତର୍କତା ବ୍ୟବସ୍ଥା କରାଯାଇନାହିଁ। ଫଳରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଆମ୍ବୁଲାନ୍ସ, ସ୍କୁଲ ବସ, ଯାତ୍ରୀବାହୀ ବସ, ଟ୍ରାକ୍ଟର, ମାଲବାହୀ ଟ୍ରକ, ହାଇୱା ସମେତ ହଜାର ହଜାର ଯାନବାହନ ଚଳାଚଳ କରୁଛି। କିନ୍ତୁ କେବଳ ମାଟି ପକାଇ ତିଆରି କରାଯାଇଥିବା ବାଇପାସ ରାସ୍ତା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଭାରୀ ଯାନବାହନ ଚଳାଚଳ ବେଳେ ରାସ୍ତା ଦବି ଯାଉଥିବା ସହ ବସ, ଟ୍ରାକ୍ଟର, ଟ୍ରକ ଓ ହାଇୱା ଗାଡ଼ି କାଦୁଅରେ ଫସି ଯାଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ସାଧାରଣ ଦୁଇଚକିଆ ଓ ଚାରିଚକିଆ ଯାନବାହନ ଚଳାଚଳ ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବାଇପାସ ରାସ୍ତାର ଠିକ୍ ପାର୍ଶ୍ୱରେ ଥିବା ଗଭୀର ଖାଲଟି ସମ୍ପୂର୍ଣ୍ଣ ବ୍ୟାରିକେଡ୍ ବିହୀନ ରହିଛି। ସାମାନ୍ୟ ଅସାବଧାନତା କିମ୍ବା ଯାନବାହନର ଭାରସାମ୍ୟ ହରାଇଲେ ଯେକୌଣସି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଭୟ ଓ ଆତଙ୍କ ମଧ୍ୟରେ ସେମାନେ ପ୍ରତିଦିନ ଏହି ରାସ୍ତାରେ ଯିବାଆସିବା କରୁଛନ୍ତି।
ଅନ୍ୟପକ୍ଷରେ, ନିର୍ମାଣ ସ୍ଥଳରେ ପ୍ରକଳ୍ପ ସମ୍ବନ୍ଧୀୟ କୌଣସି ସୂଚନା ଫଳକ ମଧ୍ୟ ଲାଗିନଥିବାରୁ କାମର ବିବରଣୀ, ଠିକାଦାରଙ୍କ ନାମ, କାର୍ଯ୍ୟ ଅବଧି ଓ ଦାୟିତ୍ୱପ୍ରାପ୍ତ ବିଭାଗ ସମ୍ପର୍କରେ ସାଧାରଣ ଲୋକ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି। ଏହାକୁ ନେଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।