ଭଏଷା ଗ୍ରାମରେ ବୈଧ ଯୋଗ୍ୟତା ବିନା ଚିକିତ୍ସା ଅଭିଯୋଗ; ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

10

ପାଟଣାଗଡ଼ରେ ପୁଣି କ୍ୱାକ୍ ଡାକ୍ତର ଆତଙ୍କ!

ପାଟଣାଗଡ଼/ ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ କଥିତ କ୍ୱାକ୍ ଡାକ୍ତରଙ୍କ ଦ୍ୱାରା ବେଆଇନ ଚିକିତ୍ସାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଭଏଷା ଗ୍ରାମରେ ବିପିନ ସାହୁ ନାମକ ଜଣେ ବ୍ୟକ୍ତି ବୈଧ ଡାକ୍ତରୀ ଯୋଗ୍ୟତା ଓ ସରକାରୀ ପଞ୍ଜିକରଣ ବିନା ଦୀର୍ଘଦିନ ଧରି ଚିକିତ୍ସା କରୁଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସଙ୍ଗୀନ ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି କୌଣସି ବୈଧ ଡାକ୍ତରୀ ଯୋଗ୍ୟତା କିମ୍ବା ପଞ୍ଜିକରଣ ବିନା ବିଭିନ୍ନ ପ୍ରକାରର ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। କାଶ, ଜ୍ୱର ଓ ସର୍ଦ୍ଦି ଭଳି ସାଧାରଣ ରୋଗରେ ମଧ୍ୟ ମନଇଚ୍ଛା ଇଞ୍ଜେକ୍ସନ ଦିଆଯାଉଥିବା ସହ ଆଣ୍ଠୁବ୍ୟଥା ଓ ଗଣ୍ଠିବାତ ରୋଗୀଙ୍କୁ ବାରମ୍ବାର ବେଦନାନାଶକ ଇଞ୍ଜେକ୍ସନ ଦେଇ ଅଧିକ ଅର୍ଥ ଆଦାୟ କରାଯାଉଥିବାର ମଧ୍ୟ ଅଭିଯୋଗ ହୋଇଛି। ଏପରିକି କିଛି ଜଟିଳ ଓ ଦୀର୍ଘସ୍ଥାୟୀ ରୋଗର ଚିକିତ୍ସା କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହା ଫଳରେ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ଜୀବନ ବିପଦରେ ପଡ଼ିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।ଅଭିଯୋଗକାରୀମାନଙ୍କ କହିବା ଅନୁଯାୟୀ, ପାଟଣାଗଡ଼ ଅଞ୍ଚଳରେ ପୂର୍ବରୁ ମଧ୍ୟ କ୍ଵାକ ଡାକ୍ତରମାନଙ୍କ ଭୁଲ ଚିକିତ୍ସା ସମ୍ପର୍କିତ ଅନେକ ଘଟଣା ସାମ୍ନାକୁ ଆସିଥିଲା। ତଥାପି ଗ୍ରାମାଞ୍ଚଳରେ ବେଆଇନ ଚିକିତ୍ସା କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଗଣମାଧ୍ୟମରେ ବାରମ୍ବାର ଏଭଳି ଅଭିଯୋଗ ଓ ଖବର ପ୍ରସାରଣ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ ନାହିଁ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି।ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ସଚେତନତାର ଅଭାବ ଥିବା ଲୋକମାନେ ଏଭଳି କଥିତ ଚିକିତ୍ସାର ଶିକାର ହେଉଛନ୍ତି। ବୈଧ ଯୋଗ୍ୟତା ଓ ପଞ୍ଜିକରଣ ବିନା କେହି ଚିକିତ୍ସା କରୁଥିଲେ, ତାହା କେବଳ ଆଇନ ଉଲ୍ଲଂଘନର ପ୍ରଶ୍ନ ନୁହେଁ, ବରଂ ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗଙ୍କୁ ଘଟଣାର ନିରପେକ୍ଷ ତଦନ୍ତ କରିବା, ସମ୍ପୃକ୍ତ ବ୍ୟକ୍ତିଙ୍କ ବୈଧ ଡାକ୍ତରୀ ଯୋଗ୍ୟତା ଓ ପଞ୍ଜିକରଣ ଯାଞ୍ଚ କରିବା ସହ ପ୍ରଚଳିତ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.