ଭୁବନେଶ୍ୱର, ୨୭ ।୭: ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ ଜିତି ଇତିହାସ ରଚିଥିବା ଓଡ଼ିଆ ଝିଅ ତଥା କିଟ ଛାତ୍ରୀ ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି କିଟ୍ ଓ କିସ୍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ କରାଯିବା ସହ ବିରାଟ ପଟୁଆରରେ କିଟ୍ କ୍ୟାମ୍ପସ୍ ପର୍ଯ୍ୟନ୍ତ ଅଣାଯାଇଥିଲା। ସେ କିଟ୍ର ସମସ୍ତ କ୍ୟାମ୍ପସ ଓ କିସ୍ ପରିଦର୍ଶନ କରିଥିଲେ। ପରେ ତାଙ୍କୁ କିଟରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଜ୍ୟୋତିର୍ମୟୀଙ୍କ ବାପା ଚକ୍ରଧର ନାୟକ, ମାଆ ଗୌରୀ ନାୟକ, ବିଶିଷ୍ଟ ଓଲିଉଡ୍ ତାରକା ବୁଦ୍ଧାଦିତ୍ୟ ମହାନ୍ତି, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀଙ୍କ ସଫଳତା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପୁରସ୍କାର ସ୍ୱରୁପ ପ୍ରଦାନ କରିଥିଲେ। ଶ୍ରୀ ସାମନ୍ତ କହିଲେ, ଓଡ଼ିଶା ତଥା କିଟ ଓ କିସର ଗର୍ବ ଜ୍ୟୋତିର୍ମୟୀ ନାୟକଙ୍କୁ ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ର ବିଜେତା ହେବା ନିଶ୍ଚିତ ଭାବେ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ। ପ୍ରଥମ ଓଡ଼ିଆ ଭାବେ ଏହି ପ୍ରତିଯୋଗିତା ଜିତି ସେ ଇତିହାସ ସୃଷ୍ଟି କରିଛନ୍ତି। ଏହା ସମଗ୍ର କିଟ୍, କିସ୍ ଓ କିମ୍ସ ପରିବାର ପାଇଁ ଅତ୍ୟନ୍ତ ଗୌରବର ବିଷୟ।’

ଅପରପକ୍ଷରେ ଜ୍ୟୋତିର୍ମୟୀ କିଟ୍ ଓ କିସ୍ ପରିବାର ବିଶେଷ କରି ଅଚ୍ୟୁତ ସାମନ୍ତ, ତାଙ୍କ ଶିକ୍ଷକ, ପିତାମାତା ଓ ବନ୍ଧୁମାନଙ୍କ ଅକୁଣ୍ଠ ସମର୍ଥନ ଏବଂ ଉତ୍ସାହ ପାଇଁ କୃତଜ୍ଞତା ଜଣାଇଥିଲେ। ସେ କହିଲେ, କିଟ୍ ଓ କିସରେ ସମସ୍ତଙ୍କଠାରୁ ପାଇଥିବା ସ୍ନେହ ତାଙ୍କୁ ସବୁବେଳେ ଆତ୍ମବିଶ୍ୱାସ ଏବଂ ଦୃଢ଼ତାର ସହିତ ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ପ୍ରେରଣା ଦେଇଛି। ଏହି ଅବସରରେ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୧୦ ମାସ ଧରି ଚାଲିଥିବା ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମର ଏହି ସିଜନରେ ଜ୍ୟୋତିର୍ମୟୀ ନିଜର ଅସାଧାରଣ ସଙ୍ଗୀତ ପ୍ରତିଭା, ପରିଶ୍ରମ ଓ ନିଷ୍ଠାର ପରିଚୟ ଦେଇ ଗ୍ରାଣ୍ଡ ଫିନାଲେରେ ବିଜୟୀ ହୋଇଥିଲେ।