ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଅକାଳରେ ନିଭିଯାଇଥିବା ନୃତ୍ୟଗୁରୁ ସ୍ୱର୍ଗତ ସସ୍ମିତା ପଣ୍ଡାଙ୍କ ସ୍ମୃତିରେ ରବିବାର ସ୍ଥାନୀୟ ଶିଶୁ ମନ୍ଦିର ସଭାଗୃହରେ ଏକ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ, କଳାପ୍ରେମୀ, ବୁଦ୍ଧିଜୀବୀ ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ଶେଫାଳି ପାହାଡ଼ ଶିବ ମନ୍ଦିରରୁ ଫେରୁଥିବା ବେଳେ ସ୍କୁଟିର ବ୍ରେକ୍ ଫେଲ୍ ହୋଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣାରେ ସସ୍ମିତା ପଣ୍ଡାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଅପ୍ରତ୍ୟାଶିତ ଘଟଣା ଗୁଣୁପୁର ସମେତ ସମଗ୍ର ରାୟଗଡ଼ା ଜିଲ୍ଲାର କଳା ଓ ସାଂସ୍କୃତିକ ଜଗତକୁ ଶୋକାକୁଳ କରିଦେଇଛି।
ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ସସ୍ମିତା ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଗୁରୁଙ୍କ ସ୍ମୃତିଚାରଣ ବେଳେ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ଭାବବିହ୍ୱଳ ହୋଇପଡ଼ିଥିଲେ। ବକ୍ତାମାନେ କହିଥିଲେ, ସସ୍ମିତା ପଣ୍ଡା କେବଳ ଜଣେ ନୃତ୍ୟଗୁରୁ ନୁହେଁ, ବରଂ ଜଣେ ସ୍ନେହମୟୀ ମାର୍ଗଦର୍ଶକ ଭାବେ ଶତାଧିକ ଶିକ୍ଷାର୍ଥୀଙ୍କ ଜୀବନରେ ଅମିଟ ଛାପ ଛାଡ଼ିଯାଇଛନ୍ତି।
ଭଦ୍ରକ ଜିଲ୍ଲାରୁ ଆସି ରାୟଗଡ଼ା ଜିଲ୍ଲାରେ ନୃତ୍ୟ ଶିକ୍ଷାର ପ୍ରସାର ପାଇଁ ତାଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ। ତାଙ୍କ ବିୟୋଗ କେବଳ ପରିବାର ପାଇଁ ନୁହେଁ, ସମଗ୍ର ଜିଲ୍ଲାର କଳା ଓ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।