୨୭ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଚଏସ୍ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ
ଅଗଷ୍ଟ ୧୧ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା, ୨୫ ଅଗଷ୍ଟରୁ ଆରମ୍ଭ ହେବ ପାଠପଢ଼ା
ଭୁବନେଶ୍ୱର,୨୭ ଜୁଲାଇ,୨୦୨୬: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ।
୨୭ ଜୁଲାଇ ଅପରାହ୍ନ ୩.୦୦ ଘଟିକା ଠାରୁ ୫ ଅଗଷ୍ଟ ରାତି ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟଲକୁ ଯାଇ ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଚଏସ୍ ଲକିଙ୍ଗ କରିପାରିବେ। ଅଗଷ୍ଟ ୧୧ ତାରିଖ ଅପରାହ୍ନ ୨.୦୦ ଘଟିକାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ ଅଗଷ୍ଟ ଅପରାହ୍ନ ୪.୦୦ ଘଟିକା ଠାରୁ ୧୪ ଅଗଷ୍ଟ ଅପରାହ୍ନ ୩.୦୦ ଘଟିକା ପର୍ଯ୍ୟନ୍ତ ସାମ୍ସ ପୋର୍ଟଲକୁ ଯାଇ ଫ୍ରିଜ୍/ସ୍ଲାଇଡ଼ ବିକଳ୍ପ ବାଛିପାରିବେ।
ଅଗଷ୍ଟ ୨୦ ତାରିଖ ପୂର୍ବାହ୍ନ ୧୧.୦୦ ଘଟିକାରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବ। ଏଥିସହ ଅଗଷ୍ଟ ୨୫ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୩୧ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମ ପାଇଁ ୨୮୦୦ଟି ସିଟ୍ ରହିଛି।