ପୁଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଆହତ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ; ଜଣେ ଫେରାର

0 5


ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଚଢ଼ାଉ ବେଳେ ପୁଲିସ ଏନକାଉଣ୍ଟର


ଝାରସୁଗୁଡା, : ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ ପୁଲିସ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବାବେଳେ ତାଙ୍କର ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ୍ (ଓରିଏଣ୍ଟ ପେପର ମିଲ୍) ଘାଟ ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୋମବାର ପୁଲିସ ସୂଚନା ଦେଇଛି।

ଆହତ ଅଭିଯୁକ୍ତ ହେଲେ ବ୍ରଜରାଜନଗରର ବାସିନ୍ଦା ସୋନୁ ଘୋଷଙ୍କ ପୁଅ ଅଙ୍କିତ ଘୋଷ (୨୦)। ପୁଲିସ ସୂଚନା ଅନୁଯାୟୀ, ଅଙ୍କିତ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି।

ପୁଲିସ କହିଛି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଙ୍କିତ ଘୋଷ ଏବଂ ତାଙ୍କ ସହଯୋଗୀ ବକିଲ ରାୟ ଏକ ଆଗ୍ନେୟାସ୍ତ୍ର ଧରି ଜଣେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଧମକ ଦେବା ସହ ଗୁଳି କରିବାକୁ ଉଦ୍ୟମ କରିଥିଲେ। ତେବେ ବନ୍ଧୁକଟି ଗୁଳି ଫୁଟି ନଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ଗତ ଜୁଲାଇ ୨୬ ତାରିଖରେ ଓରିଏଣ୍ଟ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍)ର ଧାରା ୨୯୬, ୧୧୫(୨), ୧୦୯(୧), ୩୫୧(୨), ୩(୫) ଏବଂ ଅସ୍ତ୍ର ଆଇନର ଧାରା ୨୫ ଓ ୨୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା।

ପୁଲିସ ଅନୁଯାୟୀ, ଜୁଲାଇ ୨୬ ଓ ୨୭ ତାରିଖ ମଧ୍ୟରାତ୍ରିରେ ସ୍ୱତନ୍ତ୍ର ଟିମ୍ ଓପିଏମ୍ ଘାଟ ନିକଟରେ ଅଭିଯୁକ୍ତମାନଙ୍କ ଅବସ୍ଥିତି ଠାବ କରିଥିଲା। ପୁଲିସ ଦଳ ପକ୍ଷରୁ ଦାଖଲ ହୋଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି ଯେ, ଅଭିଯୁକ୍ତମାନେ ଗିରଫ ଏଡ଼ାଇବା ପାଇଁ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ବାରମ୍ବାର ଆତ୍ମସମର୍ପଣ କରିବାକୁ ସତର୍କ କରାଯାଇଥିଲେ ମଧ୍ୟ ସେମାନେ ନ ମାନିବାରୁ ଆତ୍ମରକ୍ଷା ଅଧିକାର ପ୍ରୟୋଗ କରି ପୁଲିସ ପାଲଟା ଗୁଳି ଚଳାଇଥିଲା।

ଏହି ଗୁଳି ବିନିମୟରେ ଅଙ୍କିତ ଘୋଷଙ୍କ ଡାହାଣ ଜଙ୍ଘରେ ଗୁଳି ବାଜିଥିଲା। ପ୍ରଥମେ ତାଙ୍କୁ ଖଳିଆକାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ବକିଲ ରାୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।

ଘଟଣାସ୍ଥଳରୁ ପୁଲିସ ଦୁଇଟି ବେଆଇନ ଆଗ୍ନେୟାସ୍ତ୍ର, ଜୀବନ୍ତ ଗୁଳି, ବ୍ୟବହୃତ କାର୍ତ୍ତୁଜ, ଏକ ବଜାଜ ପଲ୍ସର ମୋଟରସାଇକେଲ, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଜବତ ଅସ୍ତ୍ର ଓ ଗୁଳିକୁ ଫରେନସିକ୍ ଏବଂ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯାଇଛି।

ଝାରସୁଗୁଡା ଏସ୍‌ପି ଜି. ଆର୍. ରାଘବେନ୍ଦ୍ର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଙ୍କିତ ଘୋଷଙ୍କ ନାମରେ ହତ୍ୟା ଉଦ୍ୟମ, ଡକାୟତି ଏବଂ ଅସ୍ତ୍ର ଆଇନ ସମ୍ବନ୍ଧୀୟ ଏକାଧିକ ମାମଲା ରହିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ହିଂସାତ୍ମକ ଅପରାଧ, ବେଆଇନ ଅସ୍ତ୍ର କାରବାର ଏବଂ ଆଇନଶୃଙ୍ଖଳା ରକ୍ଷାକାରୀ ବାହିନୀ ଉପରେ ଆକ୍ରମଣ କରୁଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.