ପଶ୍ନପତ୍ର ଲିକ୍ ପ୍ରସଙ୍ଗରେ “ନୈତିକତା” ନାମରେ ରାଜନୀତି ବନ୍ଦ କରୁ କଂଗ୍ରେସ, ବିଜେଡି: ବିରଂଚି

0 34


ଭୁବନେଶ୍ୱର, ତା.୨୬/୦୭: କଂଗ୍ରେସ ବର୍ତମାନ ଲୋକଙ୍କ ସହିତ ନାହିଁ। ତାଙ୍କ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏବେ ଦେଶର ଯୁବବର୍ଗଙ୍କୁ ଢ଼ାଲ କରି ନିଜର ରାଜନୈତିକ ରୋଟି ସେକିବା ପାଇଁ କଂଗ୍ରେସ ପ୍ରଳାପ କରୁଛି। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ସରକାରରେ ଥିଲା। ସେତେବଳେ ପ୍ରତିବର୍ଷ ପ୍ରଶ୍ନପତ୍ର ଲିକ୍ ହେଉଥିଲା। ମାତ୍ର କେତେଜଣ ତାଙ୍କ ଦଳର ନେତା ଉକ୍ତ ଘଟଣାରେ ଇସ୍ତଫା ଦେଇଥିଲେ ତାହା ସ୍ପଷ୍ଟ କରନ୍ତୁ। ଏହାପରେ ୨୦୦୪ ରୁ ୨୦୧୪ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ସରକାରରେ ଥିଲା। ସେତେବେଳେ କଂଗ୍ରେସ ଦଳର ଦୁର୍ନୀତି ଚର୍ଚ୍ଚାର ବିଷୟ ପାଲଟିଥିଲା। ମାତ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କ ଦଳର ଅନ୍ୟ କୌଣସି ନେତାଙ୍କ ପାଖରେ ନୈତିକତା ବୋଲି କିଛି ନ ଥିଲା। ସେ ସମୟରେ ପ୍ରତିବର୍ଷ ଶିକ୍ଷା ବ୍ୟବସ୍ଥା ନାଁରେ ଅନେକ ଅନିୟମିତତା ହେଉଥିଲା। ଏପରିକି ଜଣେ ତତ୍କାଳୀନ ଶିକ୍ଷାମନ୍ତ୍ରୀଙ୍କ ନାଁରେ ଏଚ୍‌ଆର୍‌ଡି କୋଟାରେ ସେଂଟ୍ରାଲ୍ ସ୍କୁଲର ଆଡ୍‌ମିଶନ ଉପରେ ଦୁର୍ନୀତିର ଛିଟା ଲାଗିଥିଲା। ଝିଅମାନଙ୍କ ଦ୍ୱାରା ଏହି କାର୍ଯ୍ୟ ପାଇଁ ଟଙ୍କା ଆଦାୟ କରାଯାଉଥିବା ଜଣାପଡ଼ିଥିଲା। ସେତେବେଳେ କଂଗ୍ରେସ କେଉଁଠି ଶୋଇଥିଲା? ଏବେ କର୍ଣ୍ଣାଟକରେ କଂଗ୍ରେସର ସରକାର ଥିଲାବେଳେ ସେଠାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଏପ୍ରସଙ୍ଗରେ କଂଗ୍ରେସର ନେତାମାନେ ମୁହଁ ଖୋଲୁନାହାନ୍ତି କାହିଁକି? କୁଆଡେ ଗଲା ସେମାନଙ୍କ ନୈତିକତା? ସେହି ସମାନ ଘଟଣା ମଧ୍ୟ ହିମାଂଚଳ ପ୍ରଦେଶରେ ଘଟିଛି। ସେଠାରେ କଂଗ୍ରେସ ଚୁପ୍ ବସିଛି କାହିଁକି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
“ନୈତିକତା” କଥା କହୁଥିବା ପ୍ରଦେଶ କଂଗ୍ରେସର ସମ୍ପୃକ୍ତ ନେତା ନାମରେ ଯେଉଁ ଅଭିଯୋଗ ଅଛି ତା’ଉପରେ ରାଜ୍ୟବାସୀଙ୍କୁ ପ୍ରଥମେ ସେ ସ୍ପଷ୍ଟୀକରଣ ଦିଅନ୍ତୁ। ୨୦୨୪ ମସିହା ନିର୍ବାଚନରେ ତାଙ୍କ ଦଳରେ ଯେଉଁ ନେତାମାନେ ବିଜୟୀ ହୋଇଥିଲେ, ସେମାନେ ମଧ୍ୟ ସମ୍ପୃକ୍ତ ନେତାଙ୍କ ନୈତିକତା ଓ ନିୟତ ଉପରେ ପ୍ରଶ୍ନ ଉଠାଇଥିଲେ। ସେ ତେଲେଙ୍ଗାନା ନିର୍ବାଚନରେ ଦଳର ପ୍ରଭାରୀ ଥିଲାବେଳେ କଂଗ୍ରେସର ନେତାମାନେ ଏକାଠି ହୋଇ ତାଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଟଙ୍କା ନେଇ ସମ୍ପୃକ୍ତ ନେତା ଓ ତାଙ୍କ ପୁଅ ଟିକେଟ ବାଂଟୁଥିବା ନେଇ କଂଗ୍ରେସ ନେତାମାନେ ସେତେବେଳେ ଅଭିଯୋଗ ଆଣିଥିଲେ। ସେହିପରି ବିଜୁ ଜନତା ଦଳ ସରକାରରେ ଥିଲାବେଳେ ଅନେକ ଦୁର୍ନୀତି ହୋଇଥିଲେ ମଧ୍ୟ କେତେଜଣ ନେତା ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ ତାହା ସ୍ପଷ୍ଟ କରନ୍ତୁ। ଏନେଇ ଉଭୟ ଦଳ “ନୈତିକତା” ନାମରେ ରାଜନୀତି ବନ୍ଦ କରି ପ୍ରଥମେ ନିଜର ନୈତିକତା ସଜାଡନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।

Leave A Reply

Your email address will not be published.