ବେଲଗୁଣ୍ଠା,୨୬/୦୭-(ଶିବରାମ ଚୌଧୁରୀ )-, ଆଜି କାଲି ସନ୍ତାନ ମାନେ ନିଜ ବାପା ମାଆଙ୍କ ସେବା କରିବାକୁ ପଛଘୁଞ୍ଚା ଦେଇ ବୃଦ୍ଧାଶ୍ରମରେ ଛାଡ଼ି ଦେବାକୁ ପଛାଉ ନଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖାଦେଇଛି ବେଲଗୁଣ୍ଠା ସହରର ରଘୁନାଥ ବିହାରରେ। ପୁଅଟିଏ ନିଜ ବାପାଙ୍କ ନାମରେ ଏକ କଲୋନୀ ପ୍ରତିଷ୍ଠା କରିବା ସହିତ ନିଜ ବାପା ମାଆଙ୍କ ପ୍ରତିମୂର୍ତ୍ତୀକୁ ଏକ ସ୍ବତନ୍ତ୍ର ମନ୍ଦିରରେ ସ୍ଥାପନ କରିଛନ୍ତି। ଏହି ମହତ୍ କାର୍ଯ୍ୟ କରି ଅଞ୍ଚଳରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବେଲଗୁଣ୍ଠା ନିବାସୀ ସ୍ଵର୍ଗତ ରଘୁନାଥ ପ୍ରଧାନ ଏବଂ ପ୍ରଫୁଲା କୁମାରୀ ପ୍ରଧାନଙ୍କ ସୁପୁତ୍ର ସୁଶାନ୍ତ କୁମାର ପ୍ରଧାନ। ସୁଶାନ୍ତ ପୂର୍ବରୁ ନିଜ ପିତା ରଘୁନାଥଙ୍କ ସ୍ମୃତିରେ ରଘୁନାଥ ବିହାର ନାମକ କଲୋନୀ ପ୍ରତିଷ୍ଠା କରିଥିବା ବେଳେ ଆଜି ନିଜ ଗୃହ ସମ୍ମୁଖରେ ଏକ ସ୍ବତନ୍ତ୍ର ମନ୍ଦିର ପ୍ରତିଷ୍ଠା କରି ସେଥିରେ ଉଭୟ ପିତା ମାତାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କକାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରତିମୂର୍ତ୍ତି ଦୁଇଟିକୁ ଉନ୍ମୋଚନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡ଼ା,ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା, ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ,ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶୁଶାନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ କାଉନସିଲର ଅତିଥି ଭାବେ ଯୋଗ ଦେଇଥିଲେ। ବାପା ମାଙ୍କୁ ଭଲ ପାଇବା ଏବଂ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଘର ଆଗରେ ମନ୍ଦିର ନିର୍ମାଣ କରିବା ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ସାହୁ,ଯୁବ ସମାଜସେବୀ ମନ୍ମୟ ଖଟେଇ,ନାତି ଶୋହନ ପ୍ରଧାନ, ଆଦ୍ୟାଶା ପ୍ରଧାନ, ଅସ୍ତସ୍ୟା ପ୍ରଧାନ, ସୁଶାନ୍ତଙ୍କ ଭଉଣୀ ନନ୍ଦିନୀ ପ୍ରଧାନ,ଭିଣୋଇ ଲକ୍ଷ୍ମୀକାନ୍ତ ପ୍ରଧାନ, ଭାଣିଜି ଆଶ୍ରୀଶି ପ୍ରଧାନ,ଟୁଟୁ ପଟନାୟକ,କାଳୁ ବରାଡଙ୍କ ସମେତ ବନ୍ଧୁବାନ୍ଧବ,ସାହି ବାସିନ୍ଦା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପ୍ରଧାନ ଦମ୍ପତିଙ୍କ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ରଘୁନାଥ ଜଣେ ଆଦର୍ଶ ଶିକ୍ଷକ ଥିବାରୁ ତାଙ୍କର ସୁପ୍ରଭାବ ସୁଶାନ୍ତଙ୍କ ଉପରେ ପଡ଼ିଥବା ନେଇ ଆଲୋଚନା ହୋଇଥିଲା। ପ୍ରତିମୂର୍ତ୍ତି ଦୁଇଟି ଏକ ଲକ୍ଷ ଟଙ୍କା ବିନିମୟରେ କଳା ମୁଗୁନି ପଥରରେ ନୟାଗଡ଼ରେ ନିର୍ମାଣ ହୋଇ ଆସିଥିବା ସୂଚନା ମିଳିଛି।