ଓଡ଼ଗାଁ, ୨୪।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମପଞ୍ଚାୟତର ପନ୍ତିଖାରୀ ଶାସନସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ପନ୍ତିଖାରୀ ଶାସନ ଓ ନୋତରପଲ୍ଲୀ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ବିଶ୍ୱକଲ୍ୟାଣ ଉଦ୍ଦେଶ୍ୟରେ ୭୫ତମ ଶ୍ରୀଶ୍ରୀ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞର ଶୁଭାରମ୍ଭ ପର୍ବ ଶନିବାର ଅନୁଷ୍ଠିତ ହୋଇଯାଇଛି।
ପାଞ୍ଚଦିନ ବ୍ୟାପୀ ଏହି ଯଜ୍ଞ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ ମା’ ଭଗବତୀ ଅନ୍ନପୂର୍ଣ୍ଣାଙ୍କ ସିଂହାସନ ଆରୋହଣ, ଯଜ୍ଞବେଦୀ ସଂସ୍କାର, ମଣ୍ଡଳକରଣ, ଜଳଯାତ୍ରା, କଳସ ପୂଜନ ଓ କଳସ ସ୍ଥାପନ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହାପରେ ଗ୍ରାମବାସୀଙ୍କ ପକ୍ଷରୁ ଯଜ୍ଞକର୍ତ୍ତା ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀ ବୈଦିକ ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ। ପଣ୍ଡିତ ଗୋଦାବରୀଶ ହୋତାଙ୍କ ପରାମର୍ଶକ୍ରମେ ଯଜ୍ଞାଚାର୍ଯ୍ୟ କମଳାକାନ୍ତ ରଥ ଓ ପୁସ୍ତକାଚାର୍ଯ୍ୟ ଶାନ୍ତନୁ କୁମାର ଦାଶଙ୍କ ଦ୍ୱାରା ଚତୁଃର୍ମଣ୍ଡଳ ସହିତ ଷୋଡ଼ଶୋପଚାରରେ ପୀଠ ପୂଜା ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଘୃତଯଜ୍ଞ ପରେ ଆଳତୀ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ନୋତରପଲ୍ଲୀ ଅଧିଷ୍ଠିତ ଦେବୀଙ୍କୁ ମଧ୍ୟ ସମ୍ମାନର ସହ ଯଜ୍ଞବେଦୀରେ ଅଧିଷ୍ଠିତ କରାଯାଇଥିଲା।
ପଣ୍ଡିତ ଲଡୁ କିଶୋର ରଥ ଚଣ୍ଡୀପାଠ, ପଣ୍ଡିତ ସର୍ବେଶ୍ୱର ଦାଶ ବ୍ରହ୍ମା ଏବଂ ନାରାୟଣ ଦାଶ ରୁଦ୍ରାଭିଷେକ କର୍ମାଦି ସମ୍ପାଦନ କରିଥିଲେ। ତନ୍ମୟ ହୋତା, ବିଷ୍ଣୁ ପ୍ରସାଦ ମହାପାତ୍ର, ଅଶୋକ ଷଡ଼ଙ୍ଗୀଙ୍କ ସମେତ ବହୁ ବୈଦିକ ବ୍ରାହ୍ମଣ ପଣ୍ଡିତ ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିଲେ। ଆସନ୍ତା ୨୯ ତାରିଖ ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ପର୍ବ ଅନୁଷ୍ଠିତ ହେବ ବୋଲି ଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପ୍ରତ୍ୟେକ ଅପରାହ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ରହିଛି।
Sign in
Sign in
Recover your password.
A password will be e-mailed to you.