ବହୁଚର୍ଚ୍ଚିତ ଜୟନ୍ତୀଗଡ଼ରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

0 1


ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୀତିକାନ୍ତି ଶେଷ ।


ବେଲଗୁଣ୍ଠା:୨୪/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଗୋବରା ପଞ୍ଚାୟତ ଅନ୍ତର୍ଗତ ଜୟନ୍ତୀଗଡ଼ ଗ୍ରାମର ବହୁଚର୍ଚ୍ଚିତ ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କ ବାହୁଡ଼ା ଯାତ୍ରା ଆଜି ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମହାସମାରୋହରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ଯାତ୍ରା ଦିନ ରଥର ଅବସ୍ଥା ଶୋଚନୀୟ ଥିବାରୁ ଏବଂ ଉପଯୁକ୍ତ କପଡ଼ା ଅଭାବରୁ ମହାପ୍ରଭୁଙ୍କୁ ରଥରୁ ଓହ୍ଲାଇ ଅସ୍ଥାୟୀ ମଣ୍ଡପରେ ଛତା ତଳେ ବିଜେ କରାଯାଇଥିଲା। ମହାପ୍ରଭୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେବା ସ୍ଥାନୀୟ ଅଞ୍ଚଳ ସମେତ ସାରା ଜିଲ୍ଲାରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏହି ସଂବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ଆଜି ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।ସମୟାଭାବ ଯୋଗୁଁ ଚଳିତ ବର୍ଷ ନୂତନ ରଥ ନିର୍ମାଣ ସମ୍ଭବ ହୋଇନଥିବା ବେଳେ, ଆସନ୍ତାବର୍ଷ ମହାପ୍ରଭୁଙ୍କ ପାଇଁ ଏକ ସୁନ୍ଦର ଓ ଆକର୍ଷଣୀୟ ନୂତନ ରଥ ନିର୍ମାଣ କରାଯିବ ବୋଲି ତହସିଲଦାର ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।ପ୍ରଶାସନର ଏହି ସକାରାତ୍ମକ ପଦକ୍ଷେପ ଓ ତହସିଲଦାରଙ୍କ ଘୋଷଣା ପରେ ଜୟନ୍ତୀଗଡ଼ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ଖେଳିଯାଇଛି। ଆସନ୍ତା ବର୍ଷ ମହାପ୍ରଭୁ ନୂଆ ରଥରେ ଚଢ଼ି ନଗର ପରିକ୍ରମା କରିବେ ବୋଲି ଶ୍ରଦ୍ଧାଳୁମାନେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.