ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 11

ଜଗତସିଂହପୁର ,ତା ୨୪.୦୭.୨୦୨୬ ରିଖ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଆଗାମୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅଗଷ୍ଟ ୧୫ ପୂର୍ବରୁ ସହରରେ ଥିବା ରାସ୍ତା ମରାମତି କାର୍ଯ୍ୟ ଶେଷ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୫ ଦିନ ପ୍ରାତଃ ଘ. ୪.୩୦ ମି ରେ ରାମଧୁନ, ପ୍ରଭାତ ଫେରି ସକାଳ ୬ ଘଟିକା ,ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ସକାଳ ୭ଘ.୩୦ ମି ଏବଂ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ପୂର୍ବାହ୍ନ ଘ ୯.୧୫ ମି ସମୟରେ ଅନୁଷ୍ଠିତ ହେବ। ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟମାନେ ଅଗଷ୍ଟ ୧୫ ତାରିଖ ଦିନ ନିଜ ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ନୂତନ ଓ ଉନ୍ନତ ମାନର ଜାତୀୟ ପତାକା ବ୍ୟବହାର କରି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ସକାଳ ୭ଘ.୩୦ ମି ସମୟରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ। ପ୍ୟାରେଡ ରେ କେବଳ ଅଷ୍ଟମରୁ ଦଶମ ଓ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରଥମ ରୁ ତୃତୀୟ, ୪ର୍ଥ ରୁ ୫ମ, ୬ଷ୍ଠ ରୁ ୮ମ, ହାଇସ୍କୁଲ ଓ କଲେଜ ସ୍ତରରେ ବକୃତା, ଦେଶାତ୍ମ ବୋଧକ ସଙ୍ଗୀତ ପ୍ରତିଯୋଗିତା ଏବଂ ହାଇସ୍କୁଲ ଓ କଲେଜ ସ୍ତରରେ କୁଇଜ୍ ପ୍ରତିଯୋଗିତା ବ୍ଲକ ଓ ପୌର ପରିଷଦ ମଧ୍ୟରେ ୦୭.୦୮.୨୦୨୬ ରିଖ ଓ ଜିଲ୍ଲାସ୍ତରରେ ତା ୧୦.୦୮.୨୦୨୬ ରିଖରେ ଅନୁଷ୍ଠିତ ହେବ। ପ୍ୟାରେଡ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ପ୍ରତିଯୋଗିତା କରି ୪ ଗୋଟି ସାଂସ୍କୃତିକ ଦଳକୁ ବାଛିବେ। ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସ୍ଥାନୀୟ ଅନୁଷ୍ଠାନ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକ ସଜ୍ଜା କରାଯିବା ସହ ସହରରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଘରୋଇ ଅନୁଷ୍ଠାନ ଗୁଡ଼ିକ ଆଲୋକ ସଜ୍ଜା କରାଯିବା ନେଇ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗ ଓ ପାରାଦ୍ବୀପ ର ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ସମୟରେ ପ୍ରଦର୍ଶିତ ହେବ । ପାଞ୍ଚଜନ୍ୟ ସାଂସ୍କୃତିକ ଓ ସାମାଜିକ ପରିଷଦ, ପୂର୍ଣ୍ଣଚନ୍ଦ୍ର ସ୍ମାରକ ମେଧାବୃତ୍ତି ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଜିଲ୍ଲାର ମାଟ୍ରିକ ଟପ୍ପର ଙ୍କୁ ପୁରସ୍କୃତ କରାଯିବ । ଜେଲର ଅନ୍ତେବାସୀ ଓ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ସ୍ୱାଧୀନତା ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ବଣ୍ଟନ କରାଯିବ। ପ୍ୟାରେଡ ପଡ଼ିଆର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ମାନଙ୍କ ପାଇଁ ବସିବା ବ୍ୟବସ୍ଥା, ବ୍ୟାରିକେଡ ନିର୍ମାଣ, ପ୍ୟାରେଡ ପଡ଼ିଆ ସମତୁଲ, କଲେଜ ଛକ ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତା ମରାମତି ଓ ଷ୍ଟାଡିୟମ ରଙ୍ଗ ଇତ୍ୟାଦି କାର୍ଯ୍ୟ ରାସ୍ତା ଓ କୋଠାବାଡ଼ି ଵିଭାଗ ଦ୍ୱାରା ସମ୍ପାଦନ କରାଯିବ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, କ୍ଷେତ୍ରୀୟ ଅଧିକାରୀ, ସହରର ମାନ୍ଯଗଣ୍ଯ ବ୍ୟକ୍ତି , ବୁଦ୍ଧିଜୀବୀ, ଆଇନଜୀବି, ଶିକ୍ଷକ ଶିକ୍ଷୟତ୍ରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଜିଲ୍ଲାପାଳଙ୍କ ଆଦେଶ ମତେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.