“ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି”
ବଲାଙ୍ଗୀର,ତା.୨୩/୦୭/୨୦୨୬:ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲା ର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ନିଜ ବକ୍ତବ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର ପ୍ରଶାସନିକ ଓ ଶୈକ୍ଷିକ ସଂସ୍କାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଥିଲେ ଯେ,ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି।ବିଦ୍ୟାଳୟରେ ଶୃଙ୍ଖଳା,ସୃଜନଶୀଳତା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଵା ସହ ଚଳିତ ବର୍ଷ ମାଧ୍ୟମିକ ପରୀକ୍ଷାରେ ବଲାଙ୍ଗୀର ଜିଲ୍ଲା ରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ ହାସଲ କରିବେ ସେ ଦିଗରେ ଯତ୍ନବାନ ହେବା ସହ ବିଦ୍ୟାଳୟଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟଯୋଜନା ପ୍ରସ୍ତୁତ କରି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ନିୟମିତ ଶୈକ୍ଷିକ ସହଯୋଗ,ମଡେଲ ଟେଷ୍ଟ ଫଳାଫଳ ର ସମୀକ୍ଷା ଓ ଅଭିଭାବକଙ୍କ ସହ ସମନ୍ୱୟ ରକ୍ଷା କରି ଉନ୍ନତ ଫଳାଫଳ ଆଣିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ର ସାମଗ୍ରିକ ସଫଳତା ବୃଦ୍ଧି ସହ ଏ-୧ ଗ୍ରେଡ଼ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢାଇବା ହିଁ ସମସ୍ତଙ୍କ ପ୍ରମୁଖ ଲକ୍ଷ୍ୟ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ଏଡିଇଓ ପ୍ରବୀର କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଦକ୍ଷତା ବିକାଶ ଯୋଜନା,ବିଦ୍ୟାଳୟ ସୁରକ୍ଷା ଯୋଜନା,ଶିକ୍ଷକଙ୍କୁ ମାର୍ଗଦର୍ଶକ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଵା ସହ ସେ କହିଥିଲେ ଯେ,ଏକ ଆଦର୍ଶ ବିଦ୍ୟାଳୟ କେବଳ ଶୈକ୍ଷିକ ସଫଳତାରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ସୁରକ୍ଷା,ମାନସିକ ବିକାଶ ଓ ସର୍ବାଙ୍ଗୀଣ ଉନ୍ନତିକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ।ପ୍ରତ୍ୟେକ ପ୍ରଧାନ ଶିକ୍ଷକ ନିଜ ବିଦ୍ୟାଳୟ ପାଇଁ ସୁଦୂରପ୍ରସାରୀ ଦକ୍ଷତା ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ସୁରକ୍ଷିତ,ଶୃଙ୍ଖଳିତ ପରିବେଶ ସୃଷ୍ଟି କରିବା ଦିଗରେ ନେତୃତ୍ୱ ନେବା ଉଚିତ।ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେଵାଶ୍ରୀ ଭୋଇ ବିଭିନ୍ନ ସରକାରୀ ଯୋଜନା ଓ ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ପ୍ରଧାନ ଶିକ୍ଷକ ମାନଙ୍କୁ ସଚେତନ କରିଵା ସହ ନିଜ ବିଦ୍ୟାଳୟ କୁ ଗୁଣାତ୍ମକ ଶିକ୍ଷାର ଆଦର୍ଶ କେନ୍ଦ୍ରରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ଶୈକ୍ଷିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପରୀକ୍ଷା ପରିଚାଳନା ସମ୍ପର୍କରେ ସବିଶେଷ ମାର୍ଗଦର୍ଶନ ଦେବା ସହ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ସଂଖ୍ୟାକୁ ଧ୍ୟାନରେ ରଖି ବିଦ୍ୟାଳୟ ସ୍ତରରେ କାର୍ଯ୍ୟ କରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ରେ ପିଲାମାନଙ୍କୁ ନାମ ଲେଖାଇ ମୁଖ୍ୟ ସ୍ରୋତ କୁ ଆଣିବାରେ ପ୍ରଧାନ ଶିକ୍ଷକଙ୍କ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ।ପରବର୍ତ୍ତୀ ଅଧିବେଶନ ଗୁଡିକରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସେକ୍ସନ ଅଫିସର ସୁଦାମ ମଲ୍ଲିକ କାର୍ଯ୍ୟାଳୟ ପ୍ରଶାସନ ଉପରେ କହିଥିବା ବେଳେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ନିଜ ବକ୍ତବ୍ୟରେ କ୍ରୀଡ଼ା,ସ୍କାଉଟ ଓ ଗାଇଡ଼ ସମ୍ପର୍କରେ କହିଥିଲେ।ପଞ୍ଚସଖା ଶିକ୍ଷା ସେତୁ ର ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ବିଜ୍ଞାନ କାର୍ଯ୍ୟକ୍ରମ ଓ ବିଭିନ୍ନ ଶିକ୍ଷାଗତ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢିହାରୀ ଉପସ୍ଥିତ ଥିଲେ।ଶେଷରେ ଧନ୍ୟବାଦ ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀ।