ରାୟଗଡା ରୁ ବୈକୁଣ୍ଠ ଦୁରିଆ – ଦିଲ୍ଲୀର ଯନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦର ସମର୍ଥନରେ କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଅଞ୍ଚଳରେ ଆଜି ବହୁ ସଂଖ୍ୟକ ଯୁବକ, ଯୁବତୀ ଓ ସାଧାରଣ ଲୋକଙ୍କ ଅଂଶଗ୍ରହଣରେ ଏକ ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।
ଏହି ପ୍ରତିବାଦ ରାଲିକୁ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ସମର୍ଥନ ଜଣାଇବା ସହ ସ୍ୱୟଂ ରାଲିରେ ସାମିଲ ହୋଇଥିଲେ। ତାଙ୍କ ସହ ସୁମନ୍ତ ନାଏକ, ରାଜୁ କୁଲଦୀପ, ଜାବେଶ ଖସଲା, ରଶ୍ମି ନାଏକ,ବିଶ୍ୱମିତ୍ର ନାଏକଙ୍କ ସମେତ ବହୁ ସଂଖ୍ୟକ ଯୁବକ, ଯୁବତୀ ଓ ଅଞ୍ଚଳବାସୀ ରାଲିରେ ଯୋଗଦେଇଥିଲେ।
ରାଲି ସମୟରେ ପ୍ରତିବାଦକାରୀମାନେ “ଆଜାଦି” ଓ “ଜଷ୍ଟିସ୍” ସ୍ଲୋଗାନ ଦେଇ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ। ସେମାନଙ୍କ କହିବା ଅନୁସାରେ, ଦେଶର ଯୁବପିଢ଼ିର ଶିକ୍ଷା ଅଧିକାର, ପରିଶ୍ରମ ଓ ଭବିଷ୍ୟତ ସହ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ନୁହେଁ।
ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ ଯେ, ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ଲକ୍ଷ ଲକ୍ଷ ପରିଶ୍ରମୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଭବିଷ୍ୟତକୁ ପ୍ରଭାବିତ କରୁଛି। ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଏବଂ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ସହ ଭବିଷ୍ୟତରେ ଏପରି ଘଟଣା ରୋକିବାକୁ ଦୃଢ଼ ବ୍ୟବସ୍ଥା ନେବାକୁ ସେମାନେ ଦାବି କରିଥିଲେ।
ରାଲିରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାରର ସୁରକ୍ଷା, ନିଷ୍ପକ୍ଷ ପରୀକ୍ଷା ବ୍ୟବସ୍ଥା ଏବଂ ଯୋଗ୍ୟତାର ସମ୍ମାନ ସୁନିଶ୍ଚିତ କରିବା ଯେକୌଣସି ସରକାରର ପ୍ରାଥମିକ ଦାୟିତ୍ୱ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଅତୁଟ ରଖିବା ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିବାଦକାରୀମାନେ ଆହ୍ୱାନ ଜଣାଇଥିଲେ।