ରାୟଗଡ଼ରେ ଡିଏଲଏସଏ ପକ୍ଷରୁ ପୋସ୍ ଆକ୍ଟ ଓ ଏସ୍‌.ସି./ଏସ୍‌.ଟି. (ଅତ୍ୟାଚାର ନିବାରଣ) ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଲଙ୍କ ସଭାପତିତ୍ୱରେ ରାୟଗଡ଼ ସ୍ଥିତ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଗଜପତିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ନିବାରଣ , ପ୍ରତିଷେଧ ଓ ପ୍ରତିକାର) ଆଇନ, ୨୦୧୩ ( ପୋସ୍ ଆକ୍ଟ ) ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ସମ୍ବେଦନଶୀଳତା ସୃଷ୍ଟି କରାଯିବା ସହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡିଏଲଏସଏ , ଗଜପତିର ସଚିବ ଶ୍ରୀ ବିମଳ ରାଉଲ , ଗଜପତି ଜିଲ୍ଲା ଅଦାଲତର ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର , ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀ ସଲମାନ ରାଇକା , ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ମହାନ୍ତି , ରାୟଗଡ଼ ଥାନାର ଆଇଆଇସି ଶ୍ରୀ ପ୍ରମୋଦ କୁମାର ଖଣ୍ଡୱାଲ , ଏସ୍‌.ଏସ୍‌.ଡି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ ସାହୁକାର ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରତିନିଧି ଶ୍ରୀ ଏମ୍. ରାମ ପ୍ରସାଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ଆଇନଗୁଡ଼ିକର ବିଭିନ୍ନ ବ୍ୟବସ୍ଥା , ସେମାନଙ୍କର ଅଧିକାର , ସୁରକ୍ଷା ବ୍ୟବସ୍ଥା ଏବଂ ଆଇନଗତ ପ୍ରତିକାର ସମ୍ପର୍କରେ ସଚେତନ କରାଇଥିଲେ।
ଶେଷରେ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ସମାନତା , ମହିଳା ସମ୍ମାନ , ସାମାଜିକ ନ୍ୟାୟ ଓ ଆଇନ ପ୍ରତି ସଚେତନ ରହିବା ପାଇଁ ଆହ୍ୱାନ କରାଯାଇଥିଲା।

Leave A Reply

Your email address will not be published.