ଓଡ଼ଗାଁ, ୨୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋରସ୍ଥିତ ଜୟଶ୍ରୀ ପାଣିଷଣ୍ଢ ଯୁବସଂସଦ ସଭାଗୃହରେ ଭାରତୀୟ ଡାକ ବିଭାଗ, ନୟାଗଡ଼ ପକ୍ଷରୁ ମଙ୍ଗଳବାର ଏକ ଡାକମେଳା ଓ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ମୁଖ୍ୟ ଡାକଘରର ଡାକ ଅଧୀକ୍ଷକ ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ଓଡ଼ଗାଁ ଅଞ୍ଚଳର ଅପହଞ୍ଚ ଅଞ୍ଚଳ ସମେତ ପ୍ରାୟ ସମସ୍ତ ସ୍ଥାନରେ ୬୦୦ରୁ ଊର୍ଦ୍ଧ୍ବ ଡାକଘର ଲୋକଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ଭଳି କେବଳ ଲାଭକ୍ଷତିକୁ ଗୁରୁତ୍ୱ ନଦେଇ ଡାକ ବିଭାଗ ଜନସାଧାରଣଙ୍କ ପାଇଁ ଡାକ ସଞ୍ଚୟ ବ୍ୟାଙ୍କ, ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଡାକ ଜୀବନ ବୀମା ଓ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ବହୁ ଲାଭଦାୟକ ଯୋଜନା ପ୍ରଦାନ କରୁଥିବା ସେ ସୂଚନା ଦେଇଥିଲେ। ଏହାର ସୁଯୋଗ ନେବାକୁ ସେ ସାଧାରଣ ଲୋକଙ୍କୁ ଆହ୍ୱାନ କରିଥିଲେ।
ନୟାଗଡ଼ ପଶ୍ଚିମ ବିଭାଗର ଡାକ ନିରୀକ୍ଷକ ଅନନ୍ତ ଚରଣ ସାହୁ ଡାକ ବୀମା, ଏହାର ବିଭିନ୍ନ ପ୍ରକାର ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଡାକଘର ଆଧାର କେନ୍ଦ୍ର ସମ୍ପର୍କରେ ମଧ୍ୟ ଉପସ୍ଥିତ ଶତାଧିକ ମହିଳା ଓ ପୁରୁଷଙ୍କୁ ସରଳ ଭାବେ ବୁଝାଇଥିଲେ। ତାଙ୍କର ଆଲୋଚନା ଉପସ୍ଥିତ ମହିଳାମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା।
କାର୍ଯ୍ୟକ୍ରମରେ ମଦନପୁର ବ୍ରାଞ୍ଚ ପୋଷ୍ଟମାଷ୍ଟର ଅଶୋକ ଶଙ୍କର ସାହୁ ଓ ଦଣ୍ଡୋର ବ୍ରାଞ୍ଚ ପୋଷ୍ଟମାଷ୍ଟର ଶିବାଶଙ୍କର ଯାନୀ ଯୋଗ ଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ସୁଧାଂଶୁ ଶେଖର ପଣ୍ଡା, ରବି ମିଶ୍ର, ଛବିଲତା ରାଉତ, ମାଣିକ ମିଶ୍ର, ଛବିନା ବିଶୋଇ, ସୁନିତା ବିଶୋଇଙ୍କ ସମେତ ଜୟଶ୍ରୀ ପାଣିଷଣ୍ଢ ଯୁବସଂସଦର ସଭାପତି ପ୍ରସନ୍ନ କୁମାର ରାଉତ, ସଭ୍ୟ ରଞ୍ଜନ ରାଉତ, ଶାନ୍ତନୁ ବିଶୋଇ ଓ ସୁରେଶ ରାଉତ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.