ବର୍ଷାରେ ଅଟକିଲା ଦକ୍ଷିଣମୋଡ଼; ଅଧାବାଟରେ ରହିଲା ନନ୍ଦିଘୋଷ ଓ ତାଳଧ୍ୱଜ

0

ପୁରୀ, ୨୧/୭: ମହାପ୍ରଭୁଙ୍କ କାର୍ଯ୍ୟରେ ପୁଣି ବାଧା ସାଜିଛି ବର୍ଷା।ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ତିନି ଠାକୁରଙ୍କ ରଥର ଦକ୍ଷିଣମୋଡ଼ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରବଳ ବର୍ଷା ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଅଧାବାଟରେ ଅଟକି ରହିଛି। କେବଳ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ନାକଚଣା ଦ୍ୱାରରେ ପହଞ୍ଚିପାରିଛି। ଅବଶିଷ୍ଟ ଦୁଇ ରଥର ଦକ୍ଷିଣମୋଡ଼ କାର୍ଯ୍ୟ ଆସନ୍ତାକାଲି ସମ୍ପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ସକାଳଧୂପ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୩ଟା ୧୦ ମିନିଟ୍ରେ ତିନିଜଣ ପାଳିଆ ପୂଜାପଣ୍ଡା ଘଣ୍ଟ, ଛତା ଓ କାହାଳୀର ମଙ୍ଗଳଧ୍ୱନି ମଧ୍ୟରେ ତିନି ରଥରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ଆଜ୍ଞାମାଳ ପ୍ରଦାନ ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ତିନି ରଥର ଦକ୍ଷିଣମୋଡ଼ କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲଗାଯାଇଥିଲା। କିନ୍ତୁ ଏହାପରେ ପାଗ ହଠାତ୍ ବଦଳିଯିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ କିଛି ବାଟ ଟଣାଯିବା ପରେ ଅଟକାଯାଇଥିଲା। ସେହିପରି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ମଧ୍ୟ ଅଳ୍ପ ଦୂର ଟଣାଯିବା ପରେ ରଥଟଣା ବନ୍ଦ ରଖାଯାଇଥିଲା।


ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପାଗ ଅନୁକୂଳ ରହିଲେ ଆସନ୍ତାକାଲି ତାଳଧ୍ୱଜ ଓ ନନ୍ଦିଘୋଷ ରଥକୁ ନାକଚଣା ଦ୍ୱାରରେ ଲଗାଯିବ ଏବଂ ଦକ୍ଷିଣମୋଡ଼ ନୀତି ସମ୍ପୂର୍ଣ୍ଣ କରାଯିବ।
ରଥଟଣା କାର୍ଯ୍ୟରେ ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ଘଣ୍ଟୁଆଙ୍କ ଘଣ୍ଟନାଦ, କାହାଳୀର ଧ୍ୱନି ଓ ଡାହୁକଙ୍କ ବେତ ହଲାଇବା ସହ ରଥଟଣା ପାଇଁ ପାରମ୍ପରିକ ସଙ୍କେତ ଦିଆଯାଇଥିଲା। ଭୋଇ ଓ ମହାରଣା ସେବକମାନେ ମଧ୍ୟ ରଥଟଣାରେ ସହଯୋଗ କରିଥିଲେ।

Leave A Reply

Your email address will not be published.