- ୟୁକେ-ଓଡ଼ିଶା ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାଭାଗିତା ନେଇ ଆଲୋଚନା
ଭୁବନେଶ୍ୱର, ୨୧ ଜୁଲାଇ ୨୦୨୬: କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଆଜି ଲୋକସେବା ଭବନରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି।
ୟୁକେ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପୃଷ୍ଠଭୂମିରେ ୟୁକେ ଏବଂ ଓଡ଼ିଶା ମଧ୍ୟରେ ଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ବିଶେଷ କରି ଶକ୍ତି, ଭିତ୍ତିଭୂମି ସୁଦୃଢ଼ୀକରଣ, ଦକ୍ଷତା ବିକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ (କ୍ରିଟିକାଲ ମିନେରାଲ୍ସ) ଏବଂ କ୍ରୀଡ଼ା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦିଆଯାଇଥିଲା।

ଓଡ଼ିଶା ସହିତ ତାଙ୍କର ନିବିଡ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରି ଡେପୁଟି ହାଇକମିଶନର କହିଥିଲେ ଯେ, ଏହା ତାଙ୍କର ୧୮ ତମ ଓଡ଼ିଶା ଗସ୍ତ। ଏହାସହ ସେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଦ୍ରୁତ ବିକାଶର ଭୂୟସୀ ପ୍ରଶଂସା କରିଥିଲେ।
‘ବିକଶିତ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବା ପାଇଁ ସ୍ଥାୟୀ ଆର୍ଥିକ ପ୍ରଗତି ଏବଂ ୟୁକେ-ଓଡ଼ିଶା ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ଡେପୁଟି ହାଇକମିଶନର ନିଜ ନିଜର ମତାମତ ଆଦାନପ୍ରଦାନ କରିଥିଲେ।
ଏହି ଗସ୍ତ ସମୟରେ ବ୍ରିଟିଶ ଡେପୁଟି ହାଇକମିଶନ ଡକ୍ଟର ଫ୍ଲେମିଂଙ୍କ ସହ ବ୍ରିଟିଶ ହାଇକମିଶନର ଅଫିସରୁ କୋଲକାତାର ‘ଡିପାର୍ଟମେଣ୍ଟ ଫର୍ ବିଜନେସ୍ ଆଣ୍ଡ ଟ୍ରେଡ୍’ର ପୂର୍ବ ଭାରତ ନିବେଶ ପ୍ରମୁଖ ଶ୍ରୀ ସନ୍ଦୀପ ଚୌଧୁରୀ ଏବଂ ଆସିଷ୍ଟାଣ୍ଟ କମ୍ୟୁନିକେସନ୍ସ, ଇଭେଣ୍ଟସ ଓ ଭିଜିଟ୍ସ ଅଫିସର ମିସ୍ ସ୍ୱର୍ଣ୍ଣମୟୀ ଶତପଥୀ ସାମିଲ ଥିଲେ।
ଏହି ପ୍ରତିନିଧି ମଣ୍ଡଳୀଙ୍କ ଗସ୍ତ ସମୟରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲ୍ ର ସିଏମଡି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ ଏବଂ ଗ୍ରିଡ଼କୋର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ ଉପସ୍ଥିତ ଥିଲେ।
ଏହି ଗସ୍ତ ବାଣିଜ୍ୟ, ଶିକ୍ଷା ଏବଂ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶା ସହ ସହଭାଗିତା ବୃଦ୍ଧି କରିବା ପାଇଁ ୟୁକେର ପ୍ରତିବଦ୍ଧତାକୁ ଦର୍ଶାଉଛି।