ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର ବଡ଼ଦୁରୁପା ଗ୍ରାମରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣାରେ କଙ୍ଗାରୁ କୋର୍ଟ ଚଳାଇବା ଅଭିଯୋଗରେ ଗ୍ରାମ ପରିଚାଳନା କମିଟି ସଭାପତି ସୋମନାଥ ଜାନୀଙ୍କୁ ସୋମବାର ଓଡ଼ଗାଁ ପୋଲିସ ଗିରଫ କରିଛି। ତାଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୋଲିସ ସୂଚନା ଅନୁସାରେ ଜଣେ ୱାର୍ଡମେମ୍ବରର ସ୍ବାମୀ ଅନିରୁଦ୍ଧ ଜାନୀ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଭୟଭୀତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ପରେ ବଜାରରୁ ଔଷଧ ଆଣି ନାବାଳିକାଙ୍କୁ ଖୁଆଇ ଗର୍ଭପାତ କରାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ଭୃଣର ମୃତ୍ୟୁ ପାଇଁ ସୁଧି କ୍ରିୟା ନକରିବା ଦର୍ଶାଇ କଙ୍ଗାରୁ କୋର୍ଟରେ ପୀଡ଼ିତା ପରିବାର ଉପରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ପୀଡ଼ିତ ପରିବାର ଛେଳି ସହ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଭୋଜି ଦେଇଥିଲେ ମଧ୍ୟ ବାକି ଜରିମାନା ଦେଇ ନପାରିବାରୁ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ରହିଛି। ପୀଡ଼ିତା ପରିବାର ଜରିମାନା ଛାଡ଼ ପାଇଁ ଅନୁନୟ କରିଥିଲେ ମଧ୍ୟ କଙ୍ଗାରୁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଥିଲା। ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କ ମା’ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ପ୍ରଥମେ ମୁଖ୍ୟ ଅଭିଯୁକ୍ତ ଅନିରୁଦ୍ଧ ଜାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଖାରଜ ହେବାରୁ ସେ ବର୍ତ୍ତମାନ ଜେଲ୍ ହାଜତରେ ଅଛନ୍ତି। ତଦନ୍ତକୁ ଆଧାର କରି ସୋମବାର କଙ୍ଗାରୁ କୋର୍ଟ ପରିଚାଳନାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗ୍ରାମ ସଭାପତି ସୋମନାଥ ଜାନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣା ପୁଣିଥରେ ନୟାଗଡ଼ ଜିଲ୍ଲାରେ କଙ୍ଗାରୁ କୋର୍ଟର ପ୍ରଭାବ ଓ ଏହାର ସାମାଜିକ ପରିଣାମକୁ ପଦାକୁ ଆଣିଛି। ତେବେ ଏହି ମାମଲାରେ ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନେତୃତ୍ୱରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଙ୍ଗାରୁ କୋର୍ଟର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଥିବା ସହ ମାମଲାର ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.