ଶ୍ରୀ ହନୁମାନ ଜୀଉଙ୍କ ନୂତନ ମନ୍ଦିରର ରତ୍ନମୁଦ ଉତ୍ସବ ମହାଆଡମ୍ବରରେ ସମ୍ପନ୍ନ

0


ଓଡ଼ଗାଁ, ୨୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ନୂଆସାହିଠାରେ ବିରାଜିତ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କ ନବନିର୍ମିତ ମନ୍ଦିରର ରତ୍ନମୁଦ ଉତ୍ସବ ସୋମବାର ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଧାର୍ମିକ ପରିବେଶ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସକାଳୁ ବେଦଜ୍ଞ ବ୍ରାହ୍ମଣ ଧନେଶ୍ୱର ତ୍ରିପାଠୀ, ଧର୍ମାନନ୍ଦ ପତୀ ଓ ସୁକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ବିଧିବଦ୍ଧ ପୂଜାର୍ଚ୍ଚନା, ସାହାଡ଼ା ଗଛ ବରଣ ଓ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନା କରାଯାଇଥିଲା। ପରେ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ବିଭିନ୍ନ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ କରାଯାଇଥିଲା। ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ନିକଟସ୍ଥ ହରିହରପୁର ଗ୍ରାମର ମହିଳା ସଂକୀର୍ତ୍ତନ ଦଳ ପକ୍ଷରୁ ଭକ୍ତିମୟ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଅପରାହ୍ନରେ ପୂର୍ଣ୍ଣାହୁତି ପରେ ମନ୍ଦିରର ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ମନ୍ଦିର ଶିଖରରେ ଧାନ, ମୁଗ, ବିରି, କୋଳଥ ଆଦି ଶସ୍ୟ ସହିତ ସୁନା, ରୂପା, ତମ୍ବା ଓ ବିଭିନ୍ନ ମୁଦ୍ରା ଭର୍ତ୍ତି କରି ଦଧିନଉତି ସ୍ଥାପନା କରାଯାଇଥିଲା। ସନ୍ତୋଷ କୁମାର ମହାରଣା କର୍ତ୍ତା ଓ ତାଙ୍କ ସହଧର୍ମିଣୀ ଉର୍ମିଳା ପରିଡ଼ା କର୍ତ୍ତୀ ଭାବେ ସମସ୍ତ ଧାର୍ମିକ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଥିଲେ। ସଂକୀର୍ତ୍ତନ, ହରିବୋଲ ଓ ହୁଳହୁଳି ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ଓ ଆଧ୍ୟାତ୍ମିକ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ରବିନ୍ଦ୍ର କୁମାର ପ୍ରଧାନ, ସୁଶାନ୍ତ କୁମାର ନାୟକ, ଶଙ୍କର୍ଷଣ ପଢ଼ିଆରୀ, ପ୍ରହଲ୍ଲାଦ ଦଳେଇ, ଗୋପାଳ ପ୍ରଧାନ, ଶାନ୍ତନୁ କୁମାର ମନ୍ତ୍ରୀ, ମହେଶ୍ୱର ପଢ଼ିଆଳି, ଶରତ ଚନ୍ଦ୍ର ନାୟକ, ଭୀମସେନ ଡାକୁଆ, ରଘୁନାଥ ବେହେରା, ବିଜୟ କୁମାର ନାୟକ, ମନ୍ଦିର ସେବାୟତ ଶଙ୍କର ଦାଶଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.