ବେଲଗୁଣ୍ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

0

ବେଲଗୁଣ୍ଠା , ୨୦/୦୭- (ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷଠାରେ ସୋମବାର ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପ୍ରୋବେସନାରୀ ଆଇ.ଏ.ଏସ୍. ସରନ୍ୟା ସର୍ବଣା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଏବଂ ଭଞ୍ଜନଗରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସିଧାସଳଖ ଶୁଣାଣି କରିଥିଲେ।
ଏହି ଜନଅଭିଯୋଗ ଶିବିରରେ ମୋଟ ୧୬୬ଟି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା। ସେଥିମଧ୍ୟରୁ ୧୪୭ଟି ବ୍ୟକ୍ତିଗତ ସମସ୍ୟା, ୧୦ଟି ସାମୂହିକ ସମସ୍ୟା ଏବଂ ୮ଟି ରେଡକ୍ରସ ସହାୟତା ସମ୍ବନ୍ଧୀୟ ଥିଲା। ଏହି ଶିବିର ଚାଲିଥିବା ସମୟରେ ତତ୍କାଳ ଭାବେ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅବଶିଷ୍ଟ ୧୬୫ଟି ଅଭିଯୋଗର ସଠିକ୍ ଓ ଫଳପ୍ରଦ ସମାଧାନ ନିଶ୍ଚିତ ସମୟସୀମା ମଧ୍ୟରେ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଶୁଣାଣି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ୮ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମୋଟ ୪୭,୫୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶିବିରକୁ ଆସିଥିବା ସ୍ଥାନୀୟ ଜନସାଧାରଣ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ରାସନ କାର୍ଡ,ସାମାଜିକ ସୁରକ୍ଷା, ଭତ୍ତା, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଜୀବିକା ମିଶନ ସମେତ ରାଜସ୍ୱ ଓ ଜମିଜମା ସମ୍ବନ୍ଧୀୟ ବିଭିନ୍ନ ଜଟିଳ ସମସ୍ୟା ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଶିବିରରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିଙ୍ଗାପୁରମ ହରି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଜନସାଧାରଣଙ୍କ ସୁବିଧା ଓ ଅଭିଯୋଗ ଗୁଡ଼ିକର ଶୃଙ୍ଖଳିତ ପଞ୍ଜୀକରଣ ପାଇଁ ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ, ଯାହା ଫଳରେ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିର ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିଛି।

Leave A Reply

Your email address will not be published.